ନୂଆଦିଲ୍ଲୀ: ଅହମ୍ମଦାବାଦରେ କେମିତି ଏବଂ କେଉଁ କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାର ଯାଞ୍ଚ ଚାଲିଛି । ଏହା ମଧ୍ୟରେ ଯୋଗ ଗୁରୁ ବାବା ରାମଦେବ ଏହା ପଛରେ ଷଡଯନ୍ତ୍ରର ଆଶଙ୍କା କରିଛନ୍ତି । ସେ କହିଛନ୍ତି ଯେ, ଏହା ପଛରେ ତୁର୍କୀର ହାତ ନାହିଁ ତ । ତୁର୍କୀ ଷଡଯନ୍ତ୍ର କରି ଶତ୍ରୁତାର ପ୍ରତିଶୋଧ ନେଇନି ତ । ଉଲ୍ଲେଖନୀୟ ନିକଟରେ ପାକିସ୍ତାନରେ ଭାରତର ଅପରେସନ ସିନ୍ଦୂର ପରେ ତୁର୍କୀ ସହ ତିକ୍ତତା ବଢିଥିଲା । ସଂପ୍ରତି ତୁର୍କୀର ପାକିସ୍ତାନ ସହ ଘନିଷ୍ଠତା ଆହୁରି ନିବିଡ ହୋଇଛି ।
ରାମଦେବ ଦିଲ୍ଲୀରେ ଶନିବାର ଏକ କାର୍ଯ୍ୟକ୍ରମ ପୂର୍ବରୁ ଏଏନଆଇ ସହ ଆଲୋଚନା ବେଳେ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ ସନ୍ଦେହ ପ୍ରକାଶ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି । ସେ କହିଛନ୍ତି ତୁର୍କୀର କୌଣସି ଏଜେନ୍ସି ବିମାନର ରକ୍ଷଣାବେକ୍ଷଣ କରିଥାନ୍ତି । ଏଭିଏସନ ସେକ୍ଟର ଉପରେ ଭାରତକୁ ଏହି ଦିଗ ପ୍ରତି ନଜର ରଖିବା ଦରକାର । ହୋଇପାରେ ତୁର୍କୀ ଏହା ଜରିଆରେ ପ୍ରତିଶୋଧ ନେଇଛି । କାରଣ ଅପରେସନ ସିନ୍ଦୂର ପରେ ଭାରତ ତୁର୍କୀ ସହ ସବୁ ପ୍ରକାରର ସଂପର୍କ ଛିନ୍ନ କରିବା ସହ ବିମାନ ଚଳାଚଳ କ୍ଷେତ୍ରରେ ତୁର୍କୀର କମ୍ପାନି ସହ କରିଥିବା ସମସ୍ତ ଚୁକ୍ତିନାମା ବାତିଲ କରିଛି । ତୁର୍କୀର ଏଜେନ୍ସି ବିମାନର ସର୍ଭିସ ମେଣ୍ଟନାନ୍ସ କାମ କରୁଥିଲେ । ତେଣୁ ବିମାନ ଦୁର୍ଘଟଣା ପଛରେ ତୁର୍କୀର ଷଡଯନ୍ତ୍ର ଥାଇପାରେ ବୋଲି ବାବା ରାମଦେବ ଆଶଙ୍କା ପ୍ରକାଶ କରିଛନ୍ତି।
ଏଥିପାଇଁ ଭାରତକୁ ୧୦୦ ପ୍ରତିଶତ ଏମିତି ସମ୍ବେଦନଶୀଳ ମାମଲାରେ ବିଦେଶୀ ଲୋକଙ୍କ ହସ୍ତକ୍ଷେପକୁ ସମାପ୍ତ କରିଦେବା ଉଚିତ୍ ବୋଲି ରାମଦେବ କହିଛନ୍ତି । ପ୍ରାୟ ୨୬୫ ଲୋକଙ୍କ ପ୍ରାଣହାନୀ ଘଟିଥିବା ଏହି ବିମାନ ଦୁର୍ଘଟଣାର ତଦନ୍ତ ଏନଆଇଏ, ଡିଜିସିଏ, ଅହମ୍ମଦାବାଦ ଅପରାଧ ଶାଖା ଓ ସ୍ଥାନୀୟ ପୋଲିସ ସହିତ ଅନ୍ୟ ଏଜେନ୍ସି ମିଳିତ ଭାବେ କରୁଛନ୍ତି । ଶୁକ୍ରବାର ଏନଆଇଏର ଅଧିକାରୀ ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ ।