ଅହମ୍ମଦାବାଦ: ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ସମସ୍ତଙ୍କ ମନରେ କଳା ଦିନ ହୋଇ ରହିଯିବ । ଖୁସି ଉଡ଼ାଣରେ ଘୋଟି ଯାଇଥିଲା କଳା ବାଦଲ । ଯାତ୍ରୀଙ୍କ ସହିତ ଅସୁମାରୀ ସ୍ୱପ୍ନକୁ ଜାଳି ଦେଇଥିଲା 787 ଡ୍ରିମଲାଇନର୍ । ତେବେ ଏହି ଘଟଣା ସହିତ ଅନେକ କିଛି ଆଶ୍ଚର୍ଯ୍ୟକର ଘଟଣାବଳୀ ସାମ୍ନାକୁ ଆସୁଛି । ଠିକ୍ ଦୁର୍ଘଟଣା ବେଳର ଏକ ଭିଡ଼ିଓ ସମସ୍ତଙ୍କ ଚକିତ କରିଦେଇଥିଲା । ସେହିପରି କେବଳ ଜଣେ ଯାତ୍ରୀ ବିମାନରୁ ଡେଇଁ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ଅନ୍ୟପକ୍ଷରେ ସବୁ କିଛି ପୋଡ଼ି ଅଙ୍ଗାର ହୋଇଯାଇଥିବାବେଳେ କେବଳ ଭଗବତ ଗୀତା ଅକ୍ଷୁର୍ଣ୍ଣ ଅବସ୍ଥାରେ ମିଳିଥିଲା ।
ସେହିପରି ଆଉ ଏକ ଘଟଣା ହେଉଛିସ ଠିକ୍ ଜୁନ ୧୨ ତାରିଖ ଦିନ ପ୍ରକାଶ ପାଇଥିବା ଏକ ବିଜ୍ଞାପନ ଚିତ୍ର । ଘଟଣା ଦିନ ‘ମିଡ୍ ଡେ’ (Mid-Day) ନାମକ ଏକ ଇଂରାଜୀ ଖବର କାଗଜର ଉପର ପୃଷ୍ଠାରେ କିଡ୍ ଜାନିଆ (Kid Zania) ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା । ପିତୃ ଦିବସ ଉପଲକ୍ଷେ ଏକ ବିଜ୍ଞାପନ ଥିଲା । କିନ୍ତୁ ସେହି ବିଜ୍ଞାପନରେ ଥିବା ଏକ ସମାନ ଚିତ୍ର, ଯାହା ବିମାନ ଦୁର୍ଘଟଣା ପରେ ଦେଖିବାକୁ ମିଳିଥିଲା । ବିଜ୍ଞାପନରେ ଏୟାର ଇଣ୍ଡିଆର ବିମାନ ଏକ ବିଲ୍ଡିଂରେ ପଶି ରହିଥିବା ଚିତ୍ର ରହିଥିଲା । ଯାହାକି ଦୁର୍ଘଟଣା ପରର ଦୃଶ୍ୟ ସହିତ ମେଳ ଖାଉଛି ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହେବା ପରେ ବି ଜେ ମେଡ଼ିକାଲ ହଷ୍ଟେଲ ଛାତରେ ଏକ ଭଗ୍ନ ଅଂଶ ରହିଯାଇଥିଲା । କୁହାଯାଉଛି କି ସେହି ବିଜ୍ଞାପନ ଚିତ୍ର ସତ ହୋଇଯାଇଛି । ତେବେ ଏହା ପରଠାରୁ କିଡ୍ ଜାନିଆ ପକ୍ଷରୁ ବିଜ୍ଞାପନକୁ ବନ୍ଦ କରି ଦିଆଯାଇଛି ।