ନୂଆଦିଲ୍ଲୀ: ଜୁନ ୧୨ ତାରିଖ ଠିକ ୧ଟା ବାଜି ୩୯ ମିନିଟ୍ ସମୟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ଆସିଥିଲା ମେଡେ କଲ୍ (MAYDAY), ଅର୍ଥାତ ଅତି ସଙ୍କଟରେ ଅଛନ୍ତି । ମାତ୍ର କିଛି ସେକେଣ୍ଡ ପରେ ଆଉ ଯୋଗାଯୋଗ ହୋଇପାରି ନ ଥିଲା । ଆଉ ତା ପରେ ଜଣାପଡ଼ିଥିଲା କି ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶନିବାର ବିମାନ ଦୁର୍ଘଟଣା ପରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ ଏହି ବୟାନ ଦେଇଛି ।
କେନ୍ଦ୍ର ବେସାମରିକ ବିଭାଗ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିମାନ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ନାଇଡ଼ୁ କହିଛନ୍ତି, ଗତ ଦୁଇ ଦିନ ବହୁତ କଷ୍ଟକର ଥିଲା । ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ହୋଇଥିବା ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀଙ୍କ ପ୍ରିୟଜନକୁ ସେ ସମବେଦନା ଜଣାଇଛନ୍ତି । କଣ କରାଯାଇପାରିବ ଏବଂ କଣ ସହାୟତା ପ୍ରଦାନ କରାଯିବ ସେଥିପାଇଁ ସେ ବ୍ୟକ୍ତିଗତଭାବେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ଗୁଜରାଟ ସରକାର ମଧ୍ୟ ସମାନ କଥା ଚିନ୍ତା କରୁଛନ୍ତି । ଘଟଣାସ୍ଥଳରେ ପହଁଚିବା ପରେ ଦେଖିଥିଲୁ ସମସ୍ତ ବିଭାଗର ଟିମଗୁଡ଼ିକ କାମ କରୁଛନ୍ତି, ଭଗ୍ନାବଶେଷକୁ ଉଠାଇବାକୁ ଚେଷ୍ଟା କରୁଥିଲେ ଏବଂ ନିଆଁ ନିଭାଇବାକୁ ଯଥା ସମ୍ଭବ ଚେଷ୍ଟା କରୁଥିବା । ଯଦ୍ୱାରା ଯାତ୍ରୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇ ପାରିବ ।
ଏଥିପାଇଁ ଦୁର୍ଘଟଣା ଯାଞ୍ଚ ବ୍ୟୁରୋ (ଏଏଆଇବି) ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାଦ୍ୱାରା ବିମାନ ଏବଂ ଆଖପାଖ ଅଞ୍ଚଳରେ ହୋଇଥିବା କ୍ଷତି ସମ୍ପର୍କରେ ଯାଞ୍ଚ କରାଯାଇ ପାରିବେ । ସେହିପରି ଗତକାଲି ସନ୍ଧ୍ୟାରେ ମଧ୍ୟ ବ୍ଲାକ୍ ବକ୍ସ ଉଦ୍ଧାର କରାଯାଇଛି । ଯାହା ଦ୍ୱାରା ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ପାରିବ । ଏଏଆଇବି ଦ୍ୱାରା ତଦନ୍ତ କରାଯାଇ କେବେ ସମ୍ପୂର୍ଣ୍ଣ ରିପୋର୍ଟ ଆସିବ, ତାକୁ ଆମେ ଅପେକ୍ଷା କରିଛୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ସେହିପରି ବେସାମରିକ ବିମାନ ମନ୍ତ୍ରଣାଳୟର ସଚିବ କହିଛନ୍ତି, ୧୨ ଜୁନ ଦିବା ୨ଟା ସମୟରେ ଅହମ୍ମଦାବାଦରୁ ଗେଟୱିକ୍ ଯାଉଥିବା ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଥିଲା । ଆମକୁ ଅହମ୍ମଦାବାଦ ଏଟିସି ମାଧ୍ୟମରେ ଏହି ସୂଚନା ମିଳିଥିଲା । ଏଆଇ୧୭୧ ବିମାନରେ ମୋଟ ୨୪୨ ଯାତ୍ରୀ ଥିଲେ, ଯେଉଁଥିରେ ୨୩୦ ଯାତ୍ରୀ, ୨ ପାଇଲଟ୍ ଏବଂ ୧୦ କ୍ର୍ୟୁ ମେମ୍ବର ଥିଲେ । ଅପରାହ୍ନ ୧ଟା ୩୯ ମିନିଟରେ ଉଡ଼ାଣ ଆରମ୍ଭ କରିଥିଲା ଏବଂ କିଛି ସେକେଣ୍ଡରେ ୬୫୦ ଫୁଟ୍ ଉପରକୁ ଉଠି ତଳକୁ ଖସିବା ଆରମ୍ଭ କରିଥିଲା ।
ଅପରାହ୍ନ ୧ଟା ୩୯ ମିନିଟରେ ପାଇଲଟ୍ ଅହମ୍ମଦାବାଦ ଏଟିସିକୁ ମେଡେ କଲ୍ କରିଥିଲେ । ଅର୍ଥାତ ସମ୍ପୂର୍ଣ୍ଣ ବିପଦ ରହିଛି । ଏହା ପରେ ଏଟିସି ପକ୍ଷରୁ ସମ୍ପର୍କ କରିବାକୁ ଚେଷ୍ଟା କଲାବେଳକୁ ଆଉ ଯୋଗାଯୋଗ ହୋଇପାରିନଥିଲା । ସେପଟୁ ଆଉ କୌଣସି ଉତ୍ତର ମିଳି ନ ଥିଲା । ଠିକ୍ ଗୋଟେ ମିନିଟ୍ ପରେ ମେଘାଣୀନଗରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯାହାକି ବିମାନ ବନ୍ଦରଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ।
ସଚିବ ସୂଚନା ଦେଇଛନ୍ତି ଯେ ଏୟାର ଇଣ୍ଡିଆ ଏଆଇ୧୭୧ ପ୍ୟାରିସ-ଦିଲ୍ଲୀ-ଅହମ୍ମଦାବାଦ ବିନା କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରକ୍ଷିତ ଆସିଥିଲା । ଅର୍ଥାତ୍ ପ୍ୟାରିସରୁ ଦିଲ୍ଲୀ ଏବଂ ଦିଲ୍ଲୀରୁ ଅହମ୍ମଦାବାଦ ଆସିଥିଲା । ଦୁର୍ଘଟଣା ପରେ ଅପରାହ୍ନ ୨ ଟା ୩୦ରେ ସମସ୍ତ ଉଡ଼ାଣ ବନ୍ଦ କରାଯାଇଥିଲା । ସମସ୍ତ ପ୍ରୋଟୋକଲ୍ ସମ୍ପୂର୍ଣ୍ଣ ହେବା ପରେ ସନ୍ଧ୍ୟା ୫ଟାରୁ ମାତ୍ର ସୀମିତ ସଂଖ୍ୟାରେ ଉଡ଼ାଣ ଆରମ୍ଭ ହୋଇଥିଲା ।