ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଜୁନ ୧୫ରୁ ଜୁନ ୧୯ ପର୍ଯ୍ୟନ୍ତ ତିନି ଦେଶର ମହତ୍ୱପୂର୍ଣ୍ଣ ଯାତ୍ରା କରିବେ । ଏହି ତିନି ଦେଶ ହେଉଛି ସାଇପ୍ରସ, କାନାଡା ଓ କ୍ରୋଏସିଆ । ବୈଦେଶିକ ମନ୍ତ୍ରଣାଳୟ ଶନିବାର ଏହାର ଆନୁଷ୍ଠାନିକ ଘୋଷଣା କରିଛି । ଏହି ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । କାନାଡାରେ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ଏବଂ କ୍ରୋଏସିଆ ନେତାଙ୍କୁ ଭେଟିବେ । ଏହି ଯାତ୍ରା ଭାରତର ବୈଶ୍ୱିକ କୂଟନୈତିକ ଦୃଷ୍ଟିକୋଣରୁ ବେଶ ମହତ୍ୱପୂର୍ଣ୍ଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଜୁନ ୧୫ରେ ସାଇପ୍ରସର ରାଜଧାନୀ ନିକୋସିଆ ପହଞ୍ଚିବେ । ଦୁଇ ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କ୍ରୋଏସିଆ ଗସ୍ତ । ସାଇପ୍ରସର ରାଷ୍ଟ୍ରପତି କ୍ରିଷ୍ଟୋଡୋଲାଇଡ୍ସଙ୍କ ନିମନ୍ତ୍ରେଣ କ୍ରମେ ହେଉଥିବା ଏହି ଯାତ୍ରାରେ ପିଏମ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା ବ୍ୟତୀତ ଲିମାସୋଲରେ ଉଦ୍ୟୋଗପତିଙ୍କୁ ସମ୍ବୋଧିତ କରିବେ ।
ଏହା ପରେ କାନାଡାର ଆଲବର୍ଟା ରାଜ୍ୟର କନାନାସ୍କିସରେ ଜୁନ ୧୬ରୁ ୧୭ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ । କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣକ୍ରମେ ଭାରତ ଏହି ଶିଖର ସମ୍ମିଳନୀରେ ଯୋଗ ଦେବ । ଭାରତ କ୍ରମାଗତ ଷଷ୍ଠ ଥର ଏହି ଶିଖର ସମ୍ମିଳନୀରେ ଯୋଗ ଦେବ । ଜି-୭ ସଂପ୍ରତି ବିଶ୍ୱରେ ଏକ ପ୍ରଭାବଶାଳୀ ସଂଗଠନ ଭାବେ ଆର୍ବିଭାବ ହୋଇଛି ।
ଏହା ପରେ ପିଏମ ମୋଦୀ ଜୁନ ୧୮ରେ କ୍ରୋଏସିଆରେ ପହଞ୍ଚିବେ । ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସରକାରୀ କ୍ରୋଏସିଆ ଗସ୍ତ । ମୋଦୀଙ୍କ ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧରେ ଏକ ଐତିହାସିକ ପଦକ୍ଷେପ ହେବ । କ୍ରୋଏସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେଙ୍କୋଭିଚଙ୍କ ନିମନ୍ତ୍ରଣରେ ହେଉଥିବା ଏହି ଯାତ୍ରାରେ ପିଏମ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।