ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପାଇଲଟ ତଥା ନୂତନ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଅଭିଯାନର ପୁଣି ଏକ ସଦ୍ୟତମ ତାରିଖ ଘୋଷଣା ହୋଇଛି । ଆନ୍ଧ୍ର ପ୍ରଦେଶସ୍ଥିତ ଶ୍ରୀହରିକୋଟାର ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଦିଆଯାିଥିବା ସୂଚନା ଅନୁସାରେ ଜୁନ ୧୯ ଗୁରୁବାର, ୨୦୨୫ରେ ମହାକାଶ ଯାତ୍ରା କରିବ ଅକ୍ସିଅମ୍-୪ । ନାସାର ଫ୍ଲୋରିଡ଼ାର କେନେଡ଼ୀ ସ୍ଥିତ ସ୍ପେସ୍ ଷ୍ଟେସନରେ ଏହାକୁ ଲଞ୍ଚ କରାଯିବ । ଏହା ପୂର୍ବରୁ ପ୍ରତିକୂଳ ପାଗ ଏବଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ମିଶନକୁ ସ୍ଥଗିତ ରଖାଯାଇଥିଲା ।
ଅକ୍ସିଅମ୍ ସ୍ପେସ୍, ସ୍ପେସଏକ୍ସ ଏବଂ ଇସ୍ରୋର ଏହା ମିଳିତ ଅଭିଯାନ । ଆକ୍ସିଅମ-୪ ମିଶନକୁ ପୂର୍ବରୁ ଦୁଇଥର ସ୍ଥଗିତ ରଖିବାକୁ ପଡିଥିଲା। ମହାକାଶଚାରୀମାନେ ମେ ୨୯ରେ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହାକୁ ଜୁନ ୮କୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଏହାକୁ ଜୁନ ୧୦କୁ ସ୍ଥଗିତ ରଖାଯାଇଥିଲା । ରକେଟ୍ର ଏକ ଅଂଶରେ ତରଳ ଅମ୍ଳଜାନର ଲିକ୍ ହୋଇଥିବା ଦେଖିବାକୁ ମିଳିଥିଲା । ଉକ୍ତ ଯାନ୍ତ୍ରିକ ତ୍ରୁଟିକୁ ସମ୍ପୂର୍ଣ୍ଣଭାବେ ଠିକ କରାଯାଇଥିବା ସ୍ପେସଏକ୍ସ ପକ୍ଷରୁ କୁହାଯାଉଛି । ଗ୍ରୁପ କ୍ୟାପଟେନ ଶୁଭାଂଶୁଙ୍କ ସହ ପୋଲାଣ୍ଡର ସ୍ଲାଓସ୍ ଉଜନାନସ୍କି-ୱିସନିୱସ୍କି, ହଙ୍ଗେରିର ଟିବୋର୍ କାପୁ ଏବଂ ମିଶନ କମାଣ୍ଡର ଆମେରିକୀୟ ମହାକାଶଚାରୀ ପେଗି ହ୍ୱିଟସନ୍ ଅଛନ୍ତି। । ଆଇଏସ୍ଏସ୍ରେ ୧୪ ଦିନ ରହଣି ସମୟରେ କ୍ରୁ ସଦସ୍ୟମାନେ ଅନେକ ପରୀକ୍ଷଣ କରିବେ।
ଭାରତର ସ୍ୱଦେଶୀ ମହାକାଶ ମିଶନ ମହାକାଶଯାତ୍ରା ପାଇଁ ମନୋନୀତ ଶୁଭାଂଶୁ ଶୁକ୍ଳା ଆଇଏସ୍ଏସ୍ ଯିବାକୁ ପ୍ରଥମ ଭାରତୀୟ ହେବେ । ଏହା ସହିତ ମହାକାଶକୁ ଯାତ୍ରା କରିବାରେ ସେ ଦ୍ୱିତୀୟ ଭାରତୀୟ ହେବେ । ଏହା ପୂର୍ବରୁ ରାକେଶ ଶର୍ମା ୧୦୮୪ ମସିହାରେ ସୋଭିଏତ୍ ୟୁନିଅନର ସୋୟୁଜ୍ ମହାକାଶଯାନରେ ମହାକାଶ ଷ୍ଟେସନ ସାଲୁଟ୍ ୭କୁ ଯାଇଥିଲେ।