ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୭ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନ ଯାତ୍ରାକୁ ନେଇ ଚିନ୍ତା ବଢି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଖୋଦ ଅହମ୍ମଦାବାଦ ପହଞ୍ଚି ପୀଡିତଙ୍କୁ ଭେଟିଛନ୍ତି । ଏକମାତ୍ର ଜୀବିତ ଯାତ୍ରୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହସ୍ପିଟାଲରେ କଥା ହୋଇଛନ୍ତି । ଏହା ମଧ୍ୟରେ ସରକାର ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଇଙ୍ଗର ଡ୍ରିମଲାଇନର ୭୮୭-୮ ବିମାନକୁ ଉଡାଣରୁ ଦୂରରେ ରଖିବାକୁ ବିଚାର କରୁଛନ୍ତି । ଏହି ବିମାନକୁ ଆମେରିକାର ବିମାନ ନିର୍ମାଣକାରୀ କମ୍ପାନି ବୋଇଙ୍ଗ ପ୍ରସ୍ତୁତ କରିଥାଏ । ଦୁର୍ଘଟଣାର ତଦନ୍ତ ପରେ ସରକାର ଏହି ନିଷ୍ପତ୍ତି ନେବେ ।
ସୂଚନା ଅନୁଯାୟୀ, ବିମାନର ସୁରକ୍ଷା ସମୀକ୍ଷା କରାଯିବ ଏବଂ ଏହା ପରେ ନିଷ୍ପତ୍ତି ନିଆଯିବ ଯେ ବିମାନ ଉଡାଣ ପାଇଁ ସୁରକ୍ଷିତ କି ନୁହେଁ । କେବଳ ଏତିକି ନୁହେଁ ଏୟାର ଇଣ୍ଡିଆର ମଧ୍ୟ ଯାଞ୍ଚ ହେବ ଯେ କମ୍ପାନି ବିମାନର କେମିତି ରକ୍ଷଣାବେକ୍ଷଣ କରେ । ଗୁୁରୁବାର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ଯାତ୍ରା କରୁଥିବା ୨୪୨ରୁ ୨୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ବିମାନ ଯାତ୍ରାର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ବିମାନ ପ୍ରାୟ ୧ଟା ୩୦ରେ ଉଡାଣ ଭରିଥିଲା ଏବଂ ଗୋଟିଏ ମିନିଟ୍ ଭିତରେ ତଳକୁ ଖସି ପଡିଥିଲା ।
ଏଭିଏସନ ବିଶେଷଜ୍ଞଙ୍କ କହିବା କଥା ଏହାର ସମ୍ଭାବନା ଅଧିକ ଯେ ଦୁଇ ଇଞ୍ଜିନ ଠିକରେ କାମ କରି ନ ଥିଲା । ଏହା ବ୍ୟତୀତ କୌଣସି ପକ୍ଷୀ ମାଡ ହେବାର ମଧ୍ୟ ସମ୍ଭାବନା ରହିଛି । ସାଧାରଣତଃ ପକ୍ଷୀମାଡ ହେଲେ ବିମାନ ଦୁର୍ଘଟଣାର ଶିକାର ହୋଇଥାଏ । ବୋଇଙ୍ଗର ବୟାନ ମଧ୍ୟ ସାମ୍ନାକୁ ଆସିଛି । ବୋଇଙ୍ଗ କହିଛି ଏୟାର ଇଣ୍ଡିଆ ସହ ଯୋଗାଯୋଗ କରିଛୁ ।
ସାଧାରଣତଃ ଭାରତ ସମେତ ଦୁନିଆ ଅଧିକାଂଶ ଦେଶରେ ଯାତ୍ରୀ ବିମାନର ନିର୍ମାଣ ବୋଇଙ୍ଗ କମ୍ପାନି ହିଁ କରିଥାଏ । ଏମିତିରେ ଯଦି ଏହାର ବିମାନ କ୍ରାସ ହେଉଛି ତେବେ କମ୍ପାନିର ପ୍ରତିଷ୍ଠା ପାଇଁ ଚିନ୍ତାର ବିଷୟ ହୋଇଥାଏ । ବୋଇଙ୍ଗ ଅନୁଯାୟୀ, ଏହାର ଡ୍ରିମଲାଇନର ବିମାନରେ ଗତ ୧୪ ବର୍ଷରେ ଏକ ବିଲିୟନରୁ ଅଧିକ ଯାତ୍ରୀ ଯାତ୍ରା କରି ସାରିଛନ୍ତି ।