ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ଆମେରିକୀୟ କମ୍ପାନୀ ବୋଇଙ୍ଗ ଦ୍ୱାରା ନିର୍ମିତ ହୋଇଥିବା ସମସ୍ତ ବୋଇଂ ୭୮୭ ବିମାନର ସୁରକ୍ଷା ଯାଞ୍ଚ କରାଯିବ । ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯିବ । ଏହି ନୂତନ ନିର୍ଦ୍ଦେଶ ୧୫ ଜୁନ୍ ୨୦୨୫ ରାତି ୧୨ଟାରୁ କାର୍ୟ୍ୟକାରୀ ହେବ । ଏହା ସହିତ ଗତ ୧୫ ଦିନ ମଧ୍ୟରେ ହୋଇଥିବା ସମସ୍ତ ଯାଞ୍ଚର ରିପୋର୍ଟ ହସ୍ତାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଡିଜିସିଏ କହିଛି ଏୟାର ଇଣ୍ଡିଆର ସମସ୍ତ ବୋଇଙ୍ଗ ୭୮୭-୮ ଏବଂ ୭୮୭-୯ ଡ୍ରିମଲାଇନର୍ ବିମାନର ଇନ୍ଧନ, ଇଞ୍ଜନ ନିୟନ୍ତ୍ରଣ ସିଷ୍ଟମ, ହାଇଡ୍ରୋଲିକ୍ ସିଷ୍ଟମ, ଟେକ୍ ଅଫ୍ ପାରାମିଟର, କ୍ୟାବିନ ଏୟାର କମ୍ପ୍ରେସର, ଇଲେକ୍ଟ୍ରୋନିକ୍ ଇଞ୍ଜିନ୍ କଣ୍ଟ୍ରୋଲ ସିଷ୍ଟମ, ଇଞ୍ଜିନ୍ ଫୁଏଲ ଡ୍ରିଭେନ ଆକ୍ଟୁଏଟର ଏବଂ ବିମାନ ନିୟନ୍ତ୍ରଣର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ । ଏହି ବିମାନ ଗୁଡ଼ିକରେ ଜିଇଏନଏକ୍ସ ଇଞ୍ଜିନ ବ୍ୟବହାର କରାଯାଉଛି । ଯାହାକି ଜିଇ ଏରୋସ୍ପେସ୍ କମ୍ପାନୀ ଦ୍ୱାରା ନିର୍ମାଣ କରାଯାଉଛି । ଏୟାର ଇଣ୍ଡିଆ ପାଖରେ ମୋଟ ୩୩ଟି ଡ୍ରିମଲାଇନର୍ ବିମାନ ରହିଛି । ୨୬ ବୋଇଙ୍ଗ ୭୮୭-୮ ଏବଂ ୭ଟି ୭୮୭-୯ ବିମାନ ରହିଛି । ଏହି ସମସ୍ତ ବିମାନର ସୁରକ୍ଷା ଯାଞ୍ଚ ଡିଜିସିଏ ଅଧିନରେ କରାଯିବ ।
ଅନ୍ୟପକ୍ଷରେ ଜିଇ ଏରୋସ୍ପେସ୍ ମଧ୍ୟ ତାର ବୟାନରେ କହିଛି ଯେ ସୁରକ୍ଷା ଯାଞ୍ଚରେ ସମସ୍ତ ପ୍ରକାର ସହଯୋଗ କରିବ । ସେଥିପାଇଁ ତାର ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଅହମ୍ମବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଏୟାରପୋର୍ଟର ଏୟାରଇଣ୍ଡିଆ ବିମାନ ଏଆଇ୧୭୧ ଉଡ଼ାଣ ଆରମ୍ଭ କରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କ୍ର୍ୟୁ ମେମ୍ବରଙ୍କ ସମେତ ୨୪୧ ଜଣ ମୃତ୍ୟୁ ବରଣ କରିଥିବାବେଳେ ମାତ୍ର ଜଣେ ବିମାନରୁ ଡେଇଁ ପଡ଼ି ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ବିଶ୍ୱାସ କୁମାର ରମେଶ ନାମକ ଜଣେ ବ୍ୟକ୍ତି ଆପତ୍ତକାଳୀନ ଦ୍ୱାର ପାଖରେ ବସିଥିବାବେଳେ ସେ ଦ୍ୱାର ଖୋଲି ତଳକୁ ଡେଇଁ ପଡ଼ିଥିଲେ । ଏବେ ସେ ଅହମ୍ମଦାବାଦ ସରକାରୀ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ମଧ୍ୟ ଅଛନ୍ତି ।