ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ଲୋକଙ୍କ ବାକ୍ ଶୂନ୍ୟ କରିଦେଇଛି । ଜୀବନଠାରୁ ଆରମ୍ଭ କରି ଜିନିଷ ପତ୍ର ସହ ସମ୍ପୂର୍ଣ୍ଣ ବିମାନ ପୋଡ଼ି ପାଉଁଶ ହୋଇଯାଇଛି । ଏମିତିକି ନିଜ ପ୍ରିୟଜନଙ୍କ ମୃତ ଶରୀରକୁ ଚିହ୍ନିପାରୁ ନାହାଁନ୍ତି ପରିବାର ଲୋକେ । ସମସ୍ତଙ୍କ ଡିଏନ୍ଏ ଟେଷ୍ଟ ସରିବା ପରେ ପରିବାର ଲୋକଙ୍କ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ଗୁଜରାଟ ସରକାର କହିଛି । ତେବେ ଏହାରି ମଧ୍ୟରେ କେତେକ ଚମତ୍କାର ଘଟଣା ମଧ୍ୟ ଦେଖିବାକୁ ମିଳିଛି । ପ୍ରଥମେ ଜଣେ ବିଶ୍ୱାସ କୁମାର ରମେଶ ନାମକ ଜଣେ ବ୍ୟକ୍ତି ଜାହାଜରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି । ଦ୍ୱିତୀୟରେ ଏକ ଭଗବତ ଗୀତା ଅକ୍ଷୁର୍ଣ୍ଣ ଅବସ୍ଥାରେ ମିଳିଛି ।
ଗତକାଲି ବିମାନ ଦୁର୍ଘଟଣାରେ ନିଆଁ ହୁତୁ ହୁତୁ ହୋଇ ଜଳିଥିଲା । ଉଦ୍ଧାରକାରୀ ଦଳ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ । ନିଆଁ ଲିଭିବା ବେଳକୁ ସବୁକିଛି ପୋଡ଼ି ଅଙ୍ଗାର ହୋଇ ସାରିଥିଲା । କେବଳ ପୋଡ଼ି ଶରୀର ଛଡ଼ା ଆଉ କିଛି ମିଳି ନ ଥିଲା । ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ଆଉ ଯାହା ପୋଡ଼ା ଦ୍ରବ୍ୟ ରହିଥିଲା ତାକୁ ଉଦ୍ଧାର କରାଯାଇଥିଲା । ଏହି ସମୟରେ ଏକ ଭଗବତ ଗୀତା ମିଳିଥିବା । ଯାହାକି ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ମିଳିଛି । ଜଣେ ଯାତ୍ରୀ ତାଙ୍କ ସହିତ ଗୀତା ନେଇ ଯାଉଥିବା ଅନୁମାନ କରାଯାଉଛି । ତେବେ ଏହି ଗୀତା ଏବେବି ପଢ଼ିବା ଅବସ୍ଥାରେ ରହିଛି । ଭଗବତ ଗୀତା ଉପରେ ଥିବା ଆସ୍ଥା ଏବଂ ବିଶ୍ୱାସର ଏକ ପ୍ରତୀକ ବୋଲି ଲୋକେ କହୁଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଅହମ୍ମବାଦ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଏୟାରପୋର୍ଟର ଏୟାରଇଣ୍ଡିଆ ବିମାନ ଏଆଇ୧୭୧ ଉଡ଼ାଣ ଆରମ୍ଭ କରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । କ୍ର୍ୟୁ ମେମ୍ବରଙ୍କ ସମେତ ୨୪୧ ଜଣ ମୃତ୍ୟୁ ବରଣ କରିଥିବାବେଳେ ମାତ୍ର ଜଣେ ବିମାନରୁ ଡେଇଁ ପଡ଼ି ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ବିଶ୍ୱାସ କୁମାର ରମେଶ ନାମକ ଜଣେ ବ୍ୟକ୍ତି ଆପତ୍ତକାଳୀନ ଦ୍ୱାର ପାଖରେ ବସିଥିବାବେଳେ ସେ ଦ୍ୱାର ଖୋଲି ତଳକୁ ଡେଇଁ ପଡ଼ିଥିଲେ । ଏବେ ସେ ଅହମ୍ମଦାବାଦ ସରକାରୀ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ସେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ମଧ୍ୟ ଅଛନ୍ତି ।