ଅହମ୍ମଦାବାଦ: ଗୁରୁବାର ଅପରାହ୍ନରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ମେଘାନୀନଗର ଅଞ୍ଚଳରେ ଏୟାର ଇଣ୍ଡିଆର ଏକ ବୋଇଂ ୭୮୭ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ଦିନ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବିମାନରେ ଥିବା ସମସ୍ତ କ୍ରୁ ସଦସ୍ୟଙ୍କ ସମେତ ପ୍ରାୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଛି। ତେବେ, ଏହି ଦୁର୍ଘଟଣାରେ ଭାରତୀୟ ବଂଶୋଦ୍ଭବ ୪୦ ବର୍ଷୀୟ ବିଶ୍ୱାସ କୁମାର ରମେଶ ଅଳ୍ପକେ ବଞ୍ଚିଯାଇଛନ୍ତି।
ଏହି ଦୁର୍ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୮:୩୦ ରେ ଅହମଦାବାଦରେ ପହଞ୍ଚିଥିଲେ। ଏହା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିବା ବୋଇଂ ବିମାନର ଏକ ବ୍ଲାକ୍ ବାକ୍ସ ମିଳିଛି। ଦ୍ୱିତୀୟ ବ୍ଲାକ୍ ବାକ୍ସର ସନ୍ଧାନ ଏବେ ବି ଜାରି ରହିଛି। ଏବେ ଏହି ବାକ୍ସ ସାହାଯ୍ୟରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ। ଏହା ବ୍ୟତୀତ, ଫ୍ଲାଇଟ୍ ଡାଟା ରେକର୍ଡର୍ ଏବଂ କକପିଟ୍ ଭଏସ୍ ରେକର୍ଡର୍ ଉଭୟ ମିଳିଛି। ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ଏୟାରକ୍ରାଫଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ। କାହିଁକି ହେଲା ଦୁର୍ଘଟଣାର ତାର କାରଣ ଖୋଜୁଛି ଏହି ସଂସ୍ଥା। ତଦନ୍ତରେ ଆମେରିକାର ଏକ ସଂସ୍ଥା, ବିମାନ କମ୍ପାନୀ ଓ ବ୍ରିଟେନର ଏକ ସଂସ୍ଥା ମଧ୍ୟ ସହାୟତା କରୁଛନ୍ତି। ଡଗ୍ ସ୍କ୍ଵାର୍ଡ ବି ଏଥିରେ ସାମିଲ ଅଛି।
ସେପଟେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି। ଏନଡିଆରଏଫ୍ ଏଥିରେ ପ୍ରମୁଖ ଭୂମିକା ନେଇଛି। ଏନଡିଆରଏଫ୍ ପକ୍ଷରୁ କୁହାଯାଇଛି, ଏବେ ମୃତ୍ୟୁ ସଂଖ୍ୟା କେତେ, ତାହା ସ୍ପଷ୍ଟ ଭାବେ କହିହେବ ନାହିଁ। ଉଦ୍ଧାର ସରିବା ପରେ ହିଁ ଏହା ସ୍ପଷ୍ଟ ହେବ। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୬୫ ବୋଲି କୁହାଯାଇଛି। ସମସ୍ତ ମୃତଦେହର ଡିଏନଏ ଟେଷ୍ଟ ହେବ। ଏଥିପାଇଁ ପରିବାର ଲୋକଙ୍କ ଡିଏନଏ ସାମ୍ପୁଲ ସଂଗ୍ରହ କରାଯାଇଛି।