ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ପହଞ୍ଚିଛନ୍ତି। ଏଠାରେ ଗତକାଲି ଘଟିଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତସ୍ଥଳକୁ ସେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେ ଆହତମାନଙ୍କୁ ଭେଟିବା ପାଇଁ ହସ୍ପିଟାଲ ମଧ୍ୟ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ବିଶ୍ବାସ କୁମାର ରମେଶଙ୍କୁ ଭେଟିବେ। ଏଥି ସହିତ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ପରିବାରକୁ ମଧ୍ୟ ଭେଟିବେ। ଏହି ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୮ଟା ୩୦ରେ ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ଏହା ପରେ ସକାଳ ପ୍ରାୟ ୯ଟାରେ ସେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲେ। ମର୍ମନ୍ତୁଦ ତଥା ଭୟଙ୍କର ଦୁର୍ଘଟଣାସ୍ଥଳକୁ ଅତି ନିକଟରେ ଦେଖିଥିଲେ। ଏହା ପୂର୍ବରୁ ବିମାନବନ୍ଦରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ସଭାପତି ସି.ଆର. ପାଟିଲ ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ।
ଅହମଦାବାଦ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଦୁଃଖପ୍ରକାଶ କରି କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏନେଇ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ଓ ହୃଦୟ ବିଦାରକ। ସହଯୋଗ ପାଇଁ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।
ସୂଚନାଯୋଗ୍ୟ ଗୁଜୁରାଟର ଅହମ୍ମଦାବାଦରେ ଗୁରୁବାର ଅପରାହ୍ଣରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଅହମଦାବାଦ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଏଯାଏଁ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି। ଗୁରୁତର ବ୍ୟକ୍ତିଙ୍କର ଚିକିତ୍ସା ଜାରି ରହିଛି।
ଅଧିକ ପଢ଼ନ୍ତୁ: ଆମେରିକା କହିଲା- ଆକ୍ରମଣ ସହିତ ଆମର କୌଣସି ସମ୍ପର୍କ ନାହିଁ