ଭୁବନେଶ୍ୱର: କମିଶନରଟ୍ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଚୋରା ବନ୍ଧୁକ କାରବାର କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିଛି ପୋଲିସ । ରାଜଧାନୀ ଛାତି ଉପରେ ଚାଲିଥିଲା ବନ୍ଧୁକ ବିକ୍ରି କାରବାର । ଜଟଣୀରେ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ ଅତର୍କିତ ଚଢଉ କରି ଜଣେ ଓଡ଼ିଆ ଯୁବକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୬ ଟି ବନ୍ଧୁକ ଜବତ କରାଯାଇଛି ।
ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଫୋଗଲ ଗାଁର ଏସ୍ କେ ଅବଦୁଲ କୁଦୁସଙ୍କ ପୁଅ ଏସ୍ କେ ସକିଲ (୨୮), ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲା ଗରୱାର ରତସର ଗାଁର ଜୟମୂର୍ତ୍ତି ସିଂହଙ୍କ ପୁଅ ପ୍ରବୀଣ କୁମାର ସିଂହ (୪୦), ବାହାଦୂରପୁର ଅଞ୍ଚଳର ରତସର ଗାଁର କେଶବ ସିଂହଙ୍କ ପୁଅ ଅଭିଷେକ ରାଜପୁତ (୩୧), କନସପୁର ପକଡ଼ି ଅଞ୍ଚଳର ମେଉଳି ଗ୍ରାମର ପାରସ ନାଥ ସିଂହଙ୍କ ପୁଅ ଇନ୍ଦ୍ରଜିତ ସିଂହ (୩୮) ଓ ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲା ବାରାସେ ଅଞ୍ଚଳର ପାଟଲୋହରୀ ଗାଁର ଯଶମନ୍ତ ସିଂହଙ୍କ ପୁଅ ରାଘବେନ୍ଦ୍ର ସିଂହ (୨୮) ।
ଉତ୍ତର ପ୍ରଦେଶର ପ୍ରବୀଣ କୁମାର ଜଟଣୀ ଗେଟ ଅଞ୍ଚଳରେ ୨ମାସ ହେବ ଭଡ଼ାରେ ରହୁଥିଲା । ୩ ଜଣ ଅଭିଷେକ ରାଜପୁତ, ଇନ୍ଦ୍ରଜିତ ସିଂହ ଓ ରାଘବେନ୍ଦ୍ର ସିଂ ପ୍ରବୀଣର ଘନିଷ୍ଠ ସହଯୋଗୀ ଥିଲେ । ସେମାନେ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶରୁ ଚୋରାରେ ବନ୍ଧୁକ ଆଣୁଥିଲେ । ଶେଖ ସକିଲ୍ ସହିତ ଡିଲ୍ ହେଉଥିଲା । ଆଉ ସେ ତାକୁ ନେଉଥିଲା । ସେମାନଙ୍କ ନିକଟରୁ ୭.୬୫ ଏମ୍ଏମ୍ ୪ଟି ସ୍ୱୟଂଚାଳିତ ପିସ୍ତଲ, ଗୋଟିଏ ରିଭଲଭର ଏବଂ ଗୋଟିଏ ସିଙ୍ଗଲସଟ୍ ମଧ୍ୟ ଜବତ ହୋଇଛି । ଏହା ସହ ୧୮ ରାଉଣ୍ଡ ଜୀବନ ଗୁଳି ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି ।