ଭୁବନେଶ୍ୱର: ଆଗକୁ ବର୍ଷା ଦିନ ଆସୁଛି । ତେଣୁ ରାଜଧାନୀ ଭୁବନେଶ୍ୱରକୁ ଘାରିଛି ଡେଙ୍ଗୁ ଭୟ । ଏଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଡେଙ୍ଗୁ ରୋଗକୁ ରୋକିବାକୁ ଆସନ୍ତାକାଲିଠୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଡ୍ରାଏ ଡେ ପାଳନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।
ସହରର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ ହେବେ । ବିଏମସିର ପ୍ରାୟ ୭୦ କର୍ମଚାରୀ ବିଭିନ୍ନ ୱାର୍ଡରେ ବୁଲି ଡେଙ୍ଗୁ ମଶା ପାଇଁ ତେଲ ସ୍ପ୍ରେ କରିବେ । ୱାର୍ଡରେ ବୁଲୁଥିବା ସଫେଇ ଗାଡ଼ି ମାଧ୍ୟମରେ ସଚେତନତା କରାଯିବ । ଏପରିକି ଟ୍ରାଫିକ ପୋଷ୍ଟରେ ମଧ୍ୟ ଡେଙ୍ଗୁ ସଚେତନତା କରାଯିବ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି ।
ମେୟର କହିଛନ୍ତି ଯେ ଲୋକମାନେ ଯେତେ ସଚେତନ ହେବେ, ଡେଙ୍ଗୁ ସେତେ ଦୂରେଇ ରଖିବେ । ଡେଙ୍ଗୁ ମଶାର ଲାର୍ଭା ଯଦି ରହି ଯାଇଥିବ ତେବେ ଆସନ୍ତା ବର୍ଷ ମଧ୍ୟ ତାହା ଫେରିବାର ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ଲୋକମାନେ ସଚେତନ ହେବା ଆବଶ୍ୟକ । ସେହିପରି ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ ପାଳନ କରାଯିବ । ଲୋକମାନେ ନିଜ ଘରେ ଥିବା ଫୁଲ କୁଣ୍ଡ କିମ୍ବା ପାଣି ରହିଥିବା ଜାଗାକୁ ସଫା କରିବେ । ଏଥିପାଇଁ କର୍ପୋରେଟରଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଡେଙ୍ଗୁକୁ ପ୍ରତିହତ କରିବାକୁ ଜନତାଙ୍କ ସହଯୋଗ ଲୋଡ଼ିଛନ୍ତି ମେୟର । ସେହିପରି ଯେଉଁ ଅଞ୍ଚଳରେ ଡେଙ୍ଗୁ ଚିହ୍ନଟ ହେଉଛନ୍ତି, ତୁରନ୍ତ ପ୍ରଶାସନକୁ ଜଣାଇବାକୁ କହିଛନ୍ତି ମେୟର । ଯଦ୍ୱାରା ଉକ୍ତ ସ୍ଥାନରେ ଡେଙ୍ଗୁ ନିରାକରଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ।