ଭୁବନେଶ୍ୱର : ସୋମବାର ଖୋଲା ରହିବ ନନ୍ଦନକାନନ। ରଜ ପର୍ବ ତୃତୀୟ ଦିନ ସୋମବାର ପଡୁଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ। ପ୍ରତ୍ୟେକ ବର୍ଷ ଓଡ଼ିଶାର ଗଣପର୍ବ ରଜ ୧୪ ତାରିଖ ଠାରୁ ଆରମ୍ଭ ହୋଇଥାଏ। ଆଉ ଏହି ଦିନର ବେଶ ମଜା ଉଠାଇଥାନ୍ତି ଝିଅମାନେ। ଏପରିକି ରଜ ସମୟରେ ନନ୍ଦନକାନନରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳେ। ହେଲେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ସପ୍ତାହର ପ୍ରତ୍ୟେକ ସୋମବାର ବନ୍ଦ ରହିଥାଏ। କିନ୍ତୁ ଚଳିତବର୍ଷ ଶେଷ ରଜ ସୋମବାର ପଡୁଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହିବ। ତେବେ ଏହି ଖବର ପ୍ରକାଶ ପାଇବା ପରେ ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ତେବେ ୨୦୨୪ ମସିହା ପହିଲି ରଜରେ ୧୭,୪୪୬ଜଣ ପର୍ଯ୍ୟଟକ ଆସିଥିବା ବେଳେ ୨ୟ ରଜରେ ୨୮,୫୨୦ ଜଣ ଓ ଶେଷ ରଜରେ ୩୦,୩୨୩ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ଯାହାକି ୨୦୨୩ ମସିହା ଶେଷ ରଜରେ ୧୪,୬୨୪ ଜଣ ପର୍ଯ୍ୟଟକ ଆସିଥିଲେ। ତେବେ ୨୦୨୪ ମସିହା ଶେଷ ରଜରେ ୨୦୨୩ ଠାରୁ ୧୫ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଆସିଥିଲେ। କାରଣ ଏହି ତିନିଦିନରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ। ତେବେ ପର୍ଯ୍ୟଟକଙ୍କ ଆଗ୍ରହ ଦେଖି ଚଳିତ ବର୍ଷ ସୋମବାର ଦିନ ମଧ୍ୟ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ନିର୍ଦେଶ ଦେଇଛନ୍ତି।