ସମ୍ବଲପୁର : ପୁଣି ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ରାଜସ୍ୱ ବିଭାଗର ନିରୀକ୍ଷକ। ROR ପ୍ରଦାନ ପାଇଁ ଜଣେ ଭୂମିହୀନ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ସମ୍ବଲପୂର ଜିଲ୍ଲା ଜମନକିରା ତହସିଲ ଅନ୍ତର୍ଗତ ଗୌଡ଼ପାଲି ରାଜସ୍ୱ ସର୍କଲର ରାଜସ୍ବ ନିରୀକ୍ଷକ ଭୀଷ୍ମ ପ୍ରଧାନ।
ମିଳିଥିବା ସୁଚନା ଅନୁସାରେ ଗୌଡ଼ପାଲି ରାଜସ୍ୱ ସର୍କଲର ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସପକ୍ଷରେ ଏକ ପଟ୍ଟା ମାମଲାରେ ରପୋର୍ଟ ପ୍ରଦାନ କରିବା ଏବଂ ସେମାନଙ୍କ ସପକ୍ଷରେ ଜମି ପଟ୍ଟା ପ୍ରଦାନ କରିବା ପାଇଁ ୪୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଭିଜିଲାନ୍ସ ଦଳ ଗୁରୁବାର ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭୀଷ୍ମ ପ୍ରଧାନଙ୍କୁ ଗିରଫ କରିଥିଲେ । ଏଥିସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ରାଜସ୍ୱ ନିରୀକ୍ଷକଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଲାସ କାର୍ଯ୍ୟ ଯାରି ରହିଛି।