ଭଦ୍ରକ: ଯାଜପୁର ପରେ ଏବେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ାବାନ୍ତି ଆତଙ୍କ। ଯାହା ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସୋଲମପୁର ବିରୋଳି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନ ଦାଣ୍ଡକୁଳ ଓ ତିଖିଲିଆ ଗ୍ରାମରେ ୧୦ରୁ ୧୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ଓ ଅନ୍ୟ ଆକ୍ରାନ୍ତ ରୋଗୀ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏ ଘଟଣା ପରେ ଭଦ୍ରକରେ ପହଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ । ସେହିପରି କେନ୍ଦୁଝରରେ ବି ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଯାଞ୍ଚ କରାଯାଉଛି । ତେବେ ପାଣିରୁ ଝାଡ଼ାବାନ୍ତି ବ୍ୟାପି ଥିବା ସନ୍ଦେହ କରୁଛି ସ୍ବାସ୍ଥ୍ୟ ବିଭାଗ । ଆଜି(ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲା ପରେ ଝାଡ଼ାବାନ୍ତି କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ‘ଯାଜପୁର ଝାଡା ବାନ୍ତି ଘଟଣା ପିଇବା ପାଣିରୁ ବ୍ୟାପିଥାଇ ପାରେ ଝାଡାବାନ୍ତି । ଲ୍ୟାବ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।’ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଜି ଏନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବେ । ତେଣୁ ସମସ୍ତଙ୍କୁ କୁହାଯାଉଛି ଭଲ ପାଣି ବ୍ୟବହାର କରନ୍ତୁ । ଭଣ୍ଡାରୀ ପୋଖରୀକୁ ଡାକ୍ତରୀ ଟିମ ପଠାଯାଇଛି । WHO, ICMR ଟିମ ଗ୍ରାଉଣ୍ଡରେ ଅଛନ୍ତି ।
ପ୍ରଶାସନ ପକ୍ଷରୁ ଚାଲିଛି ଡୋରଟୁ ଡୋର ସର୍ଭେ:
ଏନେଇ ଜିଲ୍ଲା ଚିକିତ୍ସାଧିକାରୀ ବିଜୟ ମିଶ୍ର କହିଛନ୍ତି, ‘ଆଜି ଠାରୁ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର କର୍ମଚାରୀ ମାନେ ଝାଡବାନ୍ତି ବ୍ୟାପିଥିବା ଅଞ୍ଚଳର ପ୍ରତେକ ଘରକୁ ଘର ଯାଇ ଲୋକଙ୍କୁ ଚିହ୍ନଟ କରୁଛନ୍ତି । ଓଆରଏସ୍ ଓ ଟାବଲେଟ ବଣ୍ଟନ କରିଛନ୍ତି ।’
ଗତକାଲି ଅପେକ୍ଷା ସ୍ଥିତିରେ ଆସୁଛି ସୁଧାର:
ଗତକାଲି(ଗୁରୁବାର) ଅପେକ୍ଷା ଆଜି ରୋଗୀ ସେବା କମୁଥିବା ବେଳେ ଧୀରେ ଧୀରେ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଜିଲ୍ଲାପାଳ ମଧ୍ୟ ମୁଖ୍ୟ ଚିକିତ୍ସାଳୟ ଯାଇ ସେଠାରେ ରୋଗୀ ମାନଙ୍କ ସହ ଆଲୋଚନା କରିବା ସହ ସେବା ସମ୍ପର୍କରେ ଆଲୋଚନା କରିଛନ୍ତି । ଅନ୍ୟପଟେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଜରେ ଜିଲ୍ଲାବାସୀଙ୍କୁ ସମ୍ଭବ ପିଠା ପଣା ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ।