କଟକ: ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା । ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢ଼ି ତୋଳିବା । ରାଜ୍ୟ ସ୍ତରୀୟ ନାରୀ ଶକ୍ତି ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆଠାରେ ଶୁକ୍ରବାର ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଛନ୍ତି ଯେ ସରକାର ଏକ ବର୍ଷ ପୂରଣ ପରେ ଦ୍ଵିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ । ଯେତେ ପର୍ଯ୍ୟନ୍ତ ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇ ନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଓଡିଶାର ମାଆ ଓ ଭଉଣୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି । ନାରୀମାନଙ୍କ ସଶକ୍ତିକରଣ ପାଇଁ ସବୁଠୁ ଯୁଗାନ୍ତକାରୀ ଏବଂ ଓଡିଶାର ଇତିହାସରେ ସବୁଠାରୁ ବଡ ମହିଳା କଲ୍ୟାଣ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନା । କେବଳ ମହିଳା ନୁହେଁ ଏତେ ବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ପୂର୍ବରୁ କରାଯାଇ ନ ଥିଲା। ଆମ ସରକାର ଓଡିଶାର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପରିବାର ସହିତ ସଂଯୋଗ କରି ତଥ୍ୟ ସଂଗ୍ରହ କରିଛନ୍ତି। ଘରକୁ ଘର ବୁଲି, ଆମେ ଅଧିଂକାଶ ପରିବାର ସହିତ ଯୋଗାଯୋଗ କରିଛୁ। ବିଶେଷ କରି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁଠାରେ ମା ମାନେ ଏତେ ସଚେତନ ନୁହନ୍ତି, ସେଠାରୁ ତଥ୍ୟ ଅଣାଯାଇ ସେମାନଙ୍କୁ ଏହି ଯୋଜନାରେ ଯୋଡାଯାଇଛି। ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଓଡ଼ିଶା ବର୍ତ୍ତମାନ ୧୬ ଲକ୍ଷରୁ ଅଧିକ “ଲକ୍ଷପତି ଦିଦି” ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି । ସମସ୍ତ ସରକାରୀ ବିଭାଗ ମିଳିତ ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩,୬୯୫ କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ କରିଛନ୍ତି । ଏହା ରାଜ୍ୟର ଇତିହାସରେ ସର୍ବକାଳୀନ ରେକର୍ଡ । ୩.୦୭ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଇ ସେମାନଙ୍କର ଆର୍ଥିକ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛୁ । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (MSPY) ମାଧ୍ୟମରେ ମହିଳା ଓ ପିଲାମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରୁଛୁ । ମହିଳା ସଶକ୍ତିକରଣ ଆମପାଇଁ ଏକ ସ୍ଲୋଗାନ ନୁହେଁ। ଚଳିତ ବର୍ଷ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରାବଧାନ ମହିଳାଙ୍କ ପାଇଁ ଆମର ପ୍ରତିବଦ୍ଧତା। ମହିଳା ସଶକ୍ତିକରଣରେ ଓଡିଶା ଦେଶର ଏକ ମଡେଲ ରାଜ୍ୟ ଭାବରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ପ୍ରେରଣା ହେବ।
ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନାରୀ ଶକ୍ତିର ଅମୃତ ଚେତନାରେ ଉଦ୍ଦୀପିତ ହୋଇ ଏକ ବିକଶିତ, ସମୃଦ୍ଧ ଏବଂ ଗର୍ବିତ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ଆଜିର ଏହି ଉତ୍ସବ କେବଳ ସମ୍ମାନର ନୁହେଁ, ବରଂ ଓଡ଼ିଶାକୁ ଏକ ସମାନତା, ସମୃଦ୍ଧି ଓ ପ୍ରଗତିର ରାଜ୍ୟ ଭାବେ ଗଠନ କରିବାର ସଂକଳ୍ପ ଉତ୍ସବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ସୁଭଦ୍ରା ସହାୟତା ଓ ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀକୁ ଆହୁରି ତ୍ୱରାନ୍ୱିତ କରି ଆଗାମୀ ବର୍ଷରେ ଆମେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ ପତି ଦିଦି ସୃଷ୍ଟି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ପୋଷଣ ଅଭିଯାନର ବିଭିନ୍ନ ଲିଖିତ ଓ ଫଟୋ ଚିତ୍ର ସମ୍ବଳିତ ଏକ କଫି ଟେବୁଲ ବୁକ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।