ଯାଜପୁର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିକୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ ହୋଇଛି । ଜିଲ୍ଲାପାଳ ପି ଅନେଷା ଏହି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ବି କର୍ମଚାରୀଙ୍କ ଛୁଟିରେ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାରେ ଦାନଗଦି, ସୁକିନ୍ଦା, କୋରେଇ, ଧର୍ମଶାଳା ଏବଂ ବଡ଼ଚଣାରେ ବି ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ଦେଖିବାକୁ ମିଳିଛି । ସରକାରୀ ଘୋଷଣା ଅନୁଯାୟୀ ଆଜି ୨୨୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ଏବେ ସୁଦ୍ଧା ୫୦୦ରୁ ଉର୍ଦ୍ଧ୍ୱ ମେଡ଼ିକାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ସରକାରୀ ତଥ୍ୟ ଅନୁଯାୟୀ ୫ ଜଣ ମୃତ୍ୟୁବରଣ କରିଥିବାବେଳେ ବେସରକାରୀ ସ୍ତରରେ ୧୧ ଜଣ ମୃତ ବୋଲି ଖବର ମିଳିଛି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ସବୁ ରୋଗୀଙ୍କ ପାଖରେ ଗୋଟିଏ ଲକ୍ଷଣ ଝାଡାବାନ୍ତି । ମୁଖ୍ୟତଃ ଡିହାଇଡ୍ରେସନ ପାଇଁ ମୃତ୍ୟୁ ହେଉଛି । ଘରକୁ ଘର ବୁଲି ଝାଡାବାନ୍ତି ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ ଗାଁରେ ପହଞ୍ଚି ଜଳ ଓ ଝାଡା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ୩ଟି ରାଜ୍ୟସ୍ତରୀୟ ମେଡିକାଲ ଟିମ୍ ଜିଲ୍ଲାର ବିଭିନ୍ନ ହସ୍ପିଟାଲ ଓ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ।" ସେପଟେ ଗାଁ ଗାଁରେ WHO ଟିମ୍, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ।