ଯାଜପୁର : ରଜ ପର୍ବ ବେଳେ ଯାଜପୁର ଜିଲ୍ଲାରେ ଭୋଜିକୁ ବାରଣ । ରଜ ପର୍ବରେ ସାମୁହିକ ସମାବେଶ ବେଳେ ଭୋଜିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାରେ ୧୧ ଜଣଙ୍କ ଠାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେବା ସହ ସ୍ବାସ୍ଥ୍ୟ ପରାମର୍ଶ ଜାରି କରାଯାଇଛି। କଲେରା ଚିହ୍ନଟ ଯୋଗୁ ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ପାଣି ନ ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥି ସହ ସର୍ବଦା ଘର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଡାଇରିଆ ଲକ୍ଷଣ ଦେଖାଗଲେ ଆଶା କିମ୍ବା ଅଙ୍ଗନବାଡ଼ି ଦିଦି ନଚେତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦିଆଯାଉଛି ।
ସେପଟେ ଯାଜପୁରରେ ଗୋଟିଏ ଯାଗା ନୁହେଁ, ବରଂ ଭିନ୍ନ ଭିନ୍ନ ଅଞ୍ଚଳରୁ ପଜିଟିଭ୍ ବାହାରିଥିବା ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି । ଏହା ସହ ସେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ୍ ଯିବାକୁ କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ। ସର୍ଭେଲାନ୍ସ ଚାଲିଛି, ଯାଜପୁର ଓ ଏସ୍ସିବି ମେଡିକାଲରେ ଟିମ୍ ରହିଛି । ଷ୍ଟେଟ ଲେବୁଲ ଟିମ୍ ମଧ୍ୟ ସବୁ ବେଳେ ସେଠାରେ ରହୁଛି । ଭଦ୍ରକର ସ୍ଥିତି ସେତେ ଗମ୍ଭୀର ନୁହେଁ, କଲେରା ଚିହ୍ନଟ ହୋଇନି ବୋଲି କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ । ଭଦ୍ରକରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି । ଚିକିତ୍ସିତ ଆକ୍ରାନ୍ତମାନେ ଘରକୁ ଫେରିଛନ୍ତି ।