ଭୁବନେଶ୍ୱର: ଆସିଛି ଆମ ଓଡ଼ିଆଙ୍କ ପାରମ୍ପାରିକ ଓ ଗଣପର୍ବ ରଜ । ଯାହାକୁ ନେଇ ଉତ୍ସବମୁଖର ଗାଁଠୁ ସହର । ସବୁଠି ପୋଡ଼ପିଠାର ବାସ୍ନା ସହ ରଜର ପୁଲକରେ ପୁଲକିତ ହେଉଛି ଗାଁ ଦାଣ୍ଡ । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପ୍ରଥମରେ ରଜ ପର୍ବ ପାଳନ କରାଯାଏ ।ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ଦିନ ବା ଅନ୍ତିମ ଦିନ ବସୁମତୀ ସ୍ନାନ । ଝିଅ ଓ ବୋହୂମାନଙ୍କ ପାଇଁ ରଜ ପର୍ବକୁ ବେଶ ଆନନ୍ଦର ସହିତ ପାଳନ କରିଥାନ୍ତି । ନୂଆ ପୋଷାକ ପିନ୍ଧିବା ସହିତ, ହାତରେ ମେହେନ୍ଦୀ, ପାଦରେ ଅଳତା ଆଉ ରଜ ପୋଡପିଠା , ପାନ ଖାଇ ରଜର ମଜା ନେଇଥାନ୍ତି । ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳିଥାନ୍ତି ।
ରଜରେ ଘରେ ଘରେ ପିଠାପଣା, ଦୋଳିଖେଳ ସହ ରଜ ପାନର ମଜା ଉଠାଇଥାନ୍ତି ଲୋକେ। ଯେମିତି ସଜବାଜ ହେବା, ପୋଡ଼ପିଠା ଖାଇବା ଆଉ ଦୋଳି ଖେଳିବା ରଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଠିକ୍ ସେମିତି ପାନଖିଆ ବି ଏହି ଗଣପର୍ବର ଏକ ବିଶେଷ ଆକର୍ଷଣ।
ରଜର ଅର୍ଥ ହେଉଛି ରଜବତୀ ହେବା । ମାଟି ମା' ବର୍ଷାର ଆଗମନରେ ରଜସ୍ୱଳା ହୋଇଥାଏ । ସେଥିପାଇଁ ଏହି ତିନିଦିନ ମାଟିରେ ଖାଲି ପାଦରେ ଚାଲିବା ପାଇଁ ବାରଣ କରାଯାଏ । ଏହି ଦିନରେ ଚାଷୀମାନେ ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ସେଥିପାଇଁ ତିନି ଦିନ ଧରି ମାଟି ମାଆକୁ ବି ପୂଜା କରାଯାଏ । ରଜ ପରେ ଚାଷୀ ତାର ଚଳିତ ବର୍ଷର ପ୍ରଥମ ଚାଷ କାର୍ଯ୍ୟ ଆରମ୍ଭ କରିଥାଏ ।