ଯାଜପୁରରେ ଝାଡାବାନ୍ତି ସ୍ଥିତି ଅଣାୟତ । ଜିଲ୍ଲାରେ ଗତ କିଛି ଦିନ ଧରି ବ୍ୟାପୁଥିବା ଡାଇରିଆ ଏବେ ମହାମାରୀର ରୂପ ନେଲାଣି । ଜିଲ୍ଲାର ଦାନଗଦି, ଧର୍ମଶାଳାରେ ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ରହିଛି । ଏହାସହ ଜିଲ୍ଲାର ୨ ମ୍ୟୁନିସିପାଲଟି ଯାଜପୁର ଓ ଯାଜପୁର ରୋଡ୍ ଏବଂ ୪ଟି ବ୍ଲକ ଦାନଗଦି, କୋରେଇ, ଧର୍ମଶାଳା, ବଡ଼ଚଣାରେ ବି ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଏବେ ଯାଏଁ ୬ ଶହରୁ ଅଧିକ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଶେଷକରି ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କ ଜୀବନ ଗଲାଣି।
ଗତକାଲି ୭ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ବ୍ଲକ ଖଇରାବାଦ ପଞ୍ଚାୟତ ହଜାରି ସାହି ଗ୍ରାମର ଅନିଲ ସିଂ ୪୭ ବର୍ଷିୟ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଚିକିତ୍ସିତ ଅବସ୍ଥାରେ ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ ଝାଡ଼ଗାଁ ଗ୍ରାମର ୪୫ ବର୍ଷୀୟ ପବିତ୍ରା ଦାଶ ଓ ଯାଜପୁର ବ୍ଲକ ଭୁଇଁପୁର ପଞ୍ଚାୟତ ମଲପଡ଼ା ଗ୍ରାମର ୭୫ ବର୍ଷୀୟ ସେବତୀ ଘଡ଼େଇଙ୍କ ମୃତ୍ୟୁ ଘଟିଛି। ଏବେ ବି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ୧୧୧ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଛନ୍ତି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ସବୁ ରୋଗୀଙ୍କ ପାଖରେ ଗୋଟିଏ ଲକ୍ଷଣ ଝାଡାବାନ୍ତି । ମୁଖ୍ୟତଃ ଡିହାଇଡ୍ରେସନ ପାଇଁ ମୃତ୍ୟୁ ହେଉଛି । ଘରକୁ ଘର ବୁଲି ଝାଡାବାନ୍ତି ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ ଗାଁରେ ପହଞ୍ଚି ଜଳ ଓ ଝାଡା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ୩ଟି ରାଜ୍ୟସ୍ତରୀୟ ମେଡିକାଲ ଟିମ୍ ଜିଲ୍ଲାର ବିଭିନ୍ନ ହସ୍ପିଟାଲ ଓ ପ୍ରଭାବିତ ଅଞ୍ଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି ।" ସେପଟେ ଗାଁ ଗାଁରେ WHO ଟିମ୍, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ।