ମାଲାକାନଗିରି ଜିଲ୍ଲା ପୋଲିସ ଦ୍ୱାରା ତଲାସୀ ଅଭିଯାନ ବେଳେ ୨ଜଣ ମାଓବାଦୀ ଗିରଫ ହୋଇଛନ୍ତି। ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଏଥିସହିତ ବନ୍ଧୁକ, ଗୁଳି, ଅନେକ ବିସ୍ଫୋରକ ସାମଗ୍ରୀ ସହ ନିତ୍ୟା ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିଛି। ଏନେଇ ମାଲାକାନିଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସପି । କୋରାପୁଟରୁ ଏମାନେ ଖସି ପଳାଇ ଆସିଥିବା ବେଳେ ମାଲକାନଗିରି ପୁଲିସ ହାତରେ ଧରା ପଡିଛନ୍ତି। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, ଇଲେକ୍ଟ୍ରିକ୍ ଡିଟୋନେଟର୍, କୋଡେକ୍ସ ତାର, ଗନ ପାଉଡର୍, ୱାକିଟକି, ବ୍ୟାଟେରୀ, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।
ସୂଚନା ମୁତାବିକ, ଗତ ଜୁନ ୧୨ ତାରିଖ ବିଳମ୍ବିତ ରାତିରେ ମାଥିଲି ଥାନା ଅଧୀନ ସୋଡିଗୁଡ଼ା ଏବଂ ତେନ୍ତୁଲିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସମ୍ପୃକ୍ତ ଜଙ୍ଗଲରେ ଚଢ଼ାଉ ଆରମ୍ଭ ହୋଇଥିଲା। ଆଜି ଭୋର ସମୟରେ ମାଓବାଦୀମାନେ ଉକ୍ତ ଜଙ୍ଗଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ସୁରକ୍ଷା କର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କେସ କାୱାସି ଓ ସାନୁ କୁଞ୍ଜମ ପୋଲିସ ହାବୁଡରେ ପଡିଯାଇଥିଲେ। ମାଓବାଦୀ କେସ କୱାସୀ ଏବଂ ସାନୁ କଞ୍ଜମ ବିଭିନ୍ନ ମାଓ ଘଟଣାରେ ସମ୍ପୃକ୍ତ ରହିଛି। ମାଲକାନଗିରି ଓ କୋରାପୁଟ ସହ ଛତିଶଗଡ ସୁକୁମା ଜିଲ୍ଲାର କାଙ୍ଗେରଘାଟି ଏରିଆ କମିଟିରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏମାନେ । ଦୁଇ ଜଣଙ୍କ ନାମରେ ଚାରି ଚାରି ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଡିଭିଏଫ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।