ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଉତ୍ତେଜନା ଚରମରେ ପହଞ୍ଚିଛି । ଇସ୍ରାଏଲ ଇରାନର ଆଣବିକ କେନ୍ଦ୍ର ଉପରେ ହମଲା କରି ସବୁ କିଛି ନଷ୍ଟ କରି ଦେଇଛି । ହମଲାରେ ଗୁରୁତର ଭାବେ ପ୍ରଭାବିତ ଇରାନ ପାଲଟା ଜବାବ ଦେବାକୁ ଚେତାବନୀ ଦେଇଛି । ଏହି ହମଲା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ବୟାନ ଦେଇଛନ୍ତି ।
ସେ ନିଜର ସୋସିଆଲ ଆକାଉଣ୍ଟ ଟ୍ରୁଥରେ ଇରାନକୁ ଧମକ ଦେଇଛନ୍ତି । ସେ କହିଛନ୍ତି ମୋତେ ଇସ୍ରାଏଲର ଆକ୍ରମଣ ବିଷୟରେ ପୂର୍ବରୁ ସୂଚନା ଥିଲା । ଇରାନ ନିକଟରେ ବର୍ତ୍ତମାନ ପରମାଣୁ ରାଜିନାମା କରିବାର ସମୟ ଆସି ଯାଇଛି । ନଚେତ୍ ସବୁ କିଛି ସମାପ୍ତ ହୋଇଯିବ । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ମୁଁ ଇରାନକୁ ବାରମ୍ବାର ସୁଯୋଗ ଦେଇଛି । ଯଦି ଏବେ ରାଜିନାମା ନ ହୁଏ ତେବେ ପରବର୍ତ୍ତୀ ହମଲା ଆହୁରି ବିପଦଜ୍ଜନକ ହୋଇପାରେ ।
ଟ୍ରମ୍ପଙ୍କ ଏହି ଧମକ ସେହି ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଦାବି କରିଛି ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମର ହାର୍ଟ ଉପରେ ଆମେ ହମଲା କରିଛୁ । ଇସ୍ରାଏଲର ଆକ୍ରମଣରେ ଇରାନ ସେନାର ମୁଖ୍ୟ ମହମ୍ମଦ ବାଘେରୀଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମିସାଇଲ ପ୍ରକଳ୍ପର ନେତୃତ୍ୱ ନେଉଥିବା ଜେନେରାଲ ଅଲି ହାଜିଜାଦେହଙ୍କ ମଧ୍ୟ ପ୍ରାଣହାନୀ ଘଟିଛି । ଅନେକ ବରିଷ୍ଠ କମାଣ୍ଡରଙ୍କ ମଧ୍ୟ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଛି । ଏଥିସହ ଇସ୍ରାଏଲ ଆକ୍ରମଣରେ ଇରାନର ଆଣବିକ କେନ୍ଦ୍ରର ବଡ କ୍ଷତି ଘଟିଛି ।
ଇରାନ ମିଡିଆ ଅନୁସାରେ ରାଜଧାନୀ ତେହରାନ ସହିତ ଅନେକ ସହରରେ ମିସାଇଲ ହମଲାରେ ଅନେକ କୋଠା ଧ୍ୱଂସ ହୋଇ ଯାଇଛି ଏବଂ ନାଗରିକଙ୍କ ମୃତ୍ୟୁ ଘଟିଛି । ଇରାନର ବୈଦେଶିକ ମନ୍ତ୍ରୀ ମିଳିତ ଜାତିସଂଘକୁ ଚିଠି ଲେଖି ଜରୁରୀ କାଳୀନ ବୈଠକ ଡକାଇବାକୁ ଦାବି କରିଛନ୍ତି । ଇସ୍ରାଏଲ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରିଥିବା ସେ ଅଭିଯୋଗ କରିଛନ୍ତି । ଏବେ ଆମ ପାଲଟା ଜବାବର କୌଣସି ସୀମା ରହିବ ନାହିଁ ବୋଲି ଇରାନ ସେନା କହିଛି ।