ନୂଆଦିଲ୍ଲୀ: ଇସ୍ରାଏଲ ପକ୍ଷରୁ ଇରାନ ଉପରେ ବଡ ଆକ୍ରମଣ କରାଯାଇଛି । ଏହି ହମଲାରେ ଇରାନର ଆଣବିକ ଭଣ୍ଡାରକୁ ଟାର୍ଗେଟ୍ କରିଛି ଇସ୍ରାଏଲ । ଏଥିରେ ପରମାଣୁ ବୋମା ପ୍ରସ୍ତୁତ କରୁଥିବା ବୈଜ୍ଞାନିକଙ୍କ ପ୍ରାଣହାନୀ ଘଟିଛି । ଇରାନର ରିଭୋଲ୍ୟୁସନାରୀ ଗାର୍ଡସର ଚିଫ ଏବଂ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଇସ୍ରାଏଲର ମିସାଇଲ ଆଟାକରେ ପ୍ରାଣ ହରାଇଛନ୍ତି । ଏବେ ଇରାନ ପାଲଟା ଜବାବ ଦେଇ ଇସ୍ରାଏଲ ଉପରେ ୧୦୦ରୁ ଅଧିକ ଡ୍ରୋନ ଆଟାକ୍ କରିଛି ।
ଇସ୍ରାଏଲ ସେନାର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡ୍ରେଫିନ କହିଛନ୍ତି, ଇରାନ ପକ୍ଷରୁ ହୋଇଥିବା ଡ୍ରୋନ ହମଲାକୁ ଆକାଶରେ ମାରି ଖସାଇ ଦିଆଯାଇଛି । ଇରାନ ପକ୍ଷରୁ ଇସ୍ରାଏଲ ପକ୍ଷରୁ ଆହୁରି ଜବାବ ଦିଆଯିବ ଏବଂ ଏହା ବଡ ଧରଣର ହୋଇପାରେ ବୋଲି କୁହାଯାଉଛି । ଏଥିରୁ ସ୍ପଷ୍ଟ ଯେ, ଇରାନ ଏବେ ଡ୍ରୋନରେ ନୁହେଁ ମିସାଇଲରେ ଆକ୍ରମଣ କରିପାରେ । ଇସ୍ରାଏଲର କହିବା କଥା ଆମେ ଇରାନର ଡ୍ରୋନ ହମଲାକୁ ପଣ୍ଡ କରିଛୁ । ନିଜର ବାୟ ସୀମାରେ ମାରି ଖସାଇ ଦେଇଛୁ ।
ଇରାନ କଡା ଆଭିମୁଖ୍ୟ ଦେଖାଇ କହିଛି ଯେ, ହୋଇପାରେ ଇସ୍ରାଏଲ ପ୍ରଥମେ ହମଲା କରି କାହାଣୀ ଆରମ୍ଭ କରିଛି ମାତ୍ର ଏହାର ଅନ୍ତ ଆମେ କରିବୁ । ଇରାନର ସେନା ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଅବଦୁଲ ଫଜଲ ଶେକାରଚି କହିଛନ୍ତି, ଆମେରିକା ଓ ଇସ୍ରାଏଲକୁ ଏହି ହମଲାର ବଡ ପରିଣାମ ଭୋଗିବାକୁ ପଡିବ । ଏହି କାହାଣୀର ଅନ୍ତ ଇରାନ ହିଁ ଲେଖିବ । ଇରାନ ସରକାରଙ୍କ ମୁଖପାତ୍ର ଫତେମେହ ମୋହାଜିରାନୀ କହିଛନ୍ତି ଇରାନ କେବେ ନିଜ ଆଡୁ ଯୁଦ୍ଧ ଆରମ୍ଭ କରିନି । ଯଦି କେହି ଆମ ଉପରେ ହମଲା କରେ ତବେ ଆମେ ଚୁପ ହୋଇ ବସିବୁ ନାହିଁ । ଆମ ପକ୍ଷରୁ ଏବେ ମୁହଁତୋଡ ଜବାବ ଦିଆଯିବ । ଇସ୍ରାଏଲ ଆମକୁ ଠିକରେ ଆକଳନ କରି ପାରିନି ।