ଭୁବନେଶ୍ୱର: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ବହନ କରିବେ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଘୋଷଣା କରିଛନ୍ତି ।
ଗତକାଲି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ସନ୍ତୋଷଙ୍କ ନିକଟ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଏବଂ ପରିବାରର ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମେ ୩୦ତାରିଖରେ ଗୋଷ୍ଠୀ ସଂଘର୍ଷରେ କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ ୨୦ରୁ ଅଧିକ ଲୋକେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷ ଆଖି ବୁଜିଛନ୍ତି । ଏହି ଘଟଣାରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଏହି ଘଟଣା ପରେ କଷଟିରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ତୋଷଙ୍କ ସ୍ତ୍ରୀ ମିନତୀ ବେହେରା ତିହିଡ଼ି ଥାନାରେ ଦେଇଥିବା ଏତଲା ଆଧାରରେ ମୋକଦ୍ଦମା ରୁଜୁ ହୋଇଛି ।
ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଭଦ୍ରକ ବ୍ଲକ, ପୌରପାଳିକା, ତିହିଡି, ଧାମନଗର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।