ଭୁବନେଶ୍ୱର: ରାଜ୍ୟରେ ମୋହନଙ୍କ ସରକାର ଏକ ବର୍ଷ ପୂରଣ କରିଛି । ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି । ଏହି ବାହନ ରାଜ୍ୟର ପ୍ରତି ବ୍ଲକର ପ୍ରତି ଗାଁ ଗାଁରେ ବୁଲି ସରକାରଙ୍କ ବିଭିନ୍ନ ସଫଳତା ଏବଂ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବ । ସ୍ଵଚ୍ଛ, ଲୋକାଭିମୁଖୀ ସରକାରର ଏକ ବର୍ଷ ପୂରଣ ଅବସରରେ ପ୍ରଶାସନକୁ ଜନସାଧାରଣଙ୍କ ଦ୍ୱାର ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାର ୩୧୪ ବ୍ଲକ ଓ ୧୧୫ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୫ଟି ମହାନଗର ନିଗମରେ ଆଜିଠାରୁ ଗଡ଼ିବ ବିକାଶ ବାହନ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ଓଡିଶାରେ ଡବଲ ଇଞ୍ଜିନ ସରକାର, ଡବଲ ସ୍ପିଡରେ କାମ କରି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରୁଛି। ଆମ ସରକାରଙ୍କ ଏକ ହଲ୍ମାର୍କ ହେଉଛି, ଲୋକଙ୍କ ସହିତ ଯୋଡି ହେବାର ପ୍ରୟାସ। ଜୁନ ୧୨ ତାରିଖ ରାଜ୍ୟବାସୀଙ୍କ ମନରେ ରହିବ । ଆଧୁନିକ ଓଡ଼ିଶାର ରାଜନୈତିକ କ୍ୟାଲେଣ୍ଡରେ ଏହି ତାରିଖ ଏକ ମହତପୂର୍ଣ୍ଣ ଦିବସଭାବେ ପରିଗଣିତ ହେବ । କାରଣ ଆଜିର ଦିନରେ ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ତଥାକଥିତ ୨୪ ବର୍ଷର କୁଶାସନ, ଅବ୍ୟବସ୍ଥା ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ସର୍ବସ୍ୱ ସରକାରକୁ ପ୍ରସ୍ଥାନର ଦ୍ୱାର ଦେଖାଇ ନୂତନ ସୂର୍ୟ୍ୟୋଦୟକୁ ସ୍ୱାଗତ କରିଥିଲେ ବୋଲି କହିଛନ୍ତି ।
ସେହିପରି କେନ୍ଦ୍ରରେ ମୋଦୀ ସରକାରଙ୍କ ତୃତୀୟ ପାଳିର ଏକ ବର୍ଷ ଏବଂ ମୋଟ ୧୧ ବର୍ଷ ପୂରଣ କରିଛି । ଏହି ସମୟ ମଧ୍ୟରେ ଅନେକ ସଫଳତା ହାସଲ କରିଛନ୍ତି । ନିକଟରେ ମେ ୬ ତାରିଖରେ ଅପରେସନ୍ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ଆଡ୍ଡାକୁ ନିର୍ମଳ କରିଦେଇଥିଲେ । ଯାହାକି ସାରା ବିଶ୍ୱ ଦେଖିଲା ।
ଏହି ଏକ ବର୍ଷରେ ଅନେକ କ୍ଷେତ୍ରରେ ଓଡ଼ିଶାର କାୟାକଳ୍ପ ହୋଇଛି। ମହିଳା, କୃଷକ, ଆଦିବାସୀ ଓ ଯୁବବର୍ଗର ସଶକ୍ତିକରଣ ସହିତ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି। ଆଜି ଯେଉଁ ବିକାଶ ବାହନ ଯାତ୍ରା ଆରମ୍ଭ ହେବାକୁ ଯାଉଛି, ତାହା ହେଉଛି ଆମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନସାଧାରଣ ମାନଙ୍କୁ ଯୋଡିବାର ଆଉ ଏକ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ ଶାସନର ଏକ ବର୍ଷ ପୂରଣ ଅବସରର, ପ୍ରଶାସନକୁ ଜନ ସାଧାରଣଙ୍କ ଦ୍ୱାର ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାର ୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡିବ ସ୍ୱତନ୍ତ୍ର ‘ବିକାଶ ବାହନ’ ।ଏହି ବାହନ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ ପୁସ୍ତକ ଏବଂ ଏକ ବର୍ଷର ସଫଳତାର ତଥ୍ୟ ସମ୍ବଳିତ ପୁସ୍ତିକା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାଦ୍ୱାରା ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ । ବିଭିନ୍ନ ଯୋଜନା ଉପରେ ଆଧାରିତ ଭିଡିଓ ମଧ୍ୟ ଦେଖିପାରିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ସାଧାରଣ ପରିବାରରୁ ଆସିଥିବାରୁ ଅସୁବିଧ୍ୟା ଏବଂ ସମସ୍ୟାକୁ ଅଙ୍ଗେ ଲିଭାଇଛି । ସେଥିପାଇଁ ଦାୟିତ୍ୱ ନେବାର ପ୍ରଥମ ଦିନରୁ ସମସ୍ତ ଜିଲ୍ଲା ଗସ୍ତ କରୁଛି । ଏହା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଅଭିଯୋଗର ସମାଧାନ କରୁଛୁ । ସମ୍ପୂର୍ଣ୍ଣଭାବରେ ସରକାରୀ କଳକୁ ଲଗାଇବା ଆମର ପ୍ରଥମ ଦାୟିତ୍ୱ । ଜନତା ଏବଂ ତୃତୀୟ ମହଲା ମଧ୍ୟରେ ଥିବା ବ୍ୟବଧାନକୁ ଲୋକଙ୍କ ସରକାର ଦୂର କରିଛି ।