ନୂଆଦିଲ୍ଲୀ: ଅହମ୍ମଦାବାଦର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ଲଣ୍ଡନ ଅଭିମୁଖେ ଯାଉଥିବା ବିମାନଟି ଉଡାଣ ଭରିବାର କିଛି ମିନିଟ୍ ପରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡିଥିଲା । ଏହି ହୃଦୟୁ ବିଦାରକ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୬୫କୁ ବୃଦ୍ଧି ଘଟିଛି । ବିମାନରେ ଥିବା ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିମାନଟି ମେଡିକାଲ କଲେଜ ହଷ୍ଟେଲ ଉପରେ ପଡିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି । ଅହମ୍ମଦାବାଦ ପୋଲିସ କମିଶନର ଏହି ସୂଚନା ଦେଇଛନ୍ତି । ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳରୁ ବ୍ଲାକବକ୍ସ ମିଳିଛି ।
ସୂଚନା ଅନୁଯାୟୀ, ସିଭିଲ ହସ୍ପିଟାଲକୁ ଯେତେ ବି ମୃତଦେହ ଆସିଛି ତାହା ସଂପୂର୍ଣ୍ଣ ଜଳି ଯାଇଛି । ଫଳରେ ମୃତଦେହ ଚିହ୍ନଟ କରିବା ମୁସ୍କିଲ ହୋଇ ପଡିଛି । ମୃତକଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସାମିଲ । ପୋଲିସ କମିଶନର ବିଧି ଚୌଧୁରୀ କହିଛନ୍ତି ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ ଡ୍ରିମଲାଇନ ବିମାନରେ ୨୪୨ ଯାତ୍ରା କରୁଥିଲେ । ତେବେ ଉଡାଣ ଭରିବାର କିଛି ମିନିଟ୍ ଭିତରେ ବିମାନଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡିଥିଲା । ଏହି ସମୟରେ ବିମାନଟି ମେଡିକାଲ କଲେଜର ହଷ୍ଟେଲରେ ପିିଟି ହୋଇଥିଲା । ଫଳରେ ମେଡିକାଲର ୨୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।
ଜରୁରୀକାଳୀନ ଟିମ ଏବେ ବି ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମୃତକଙ୍କ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି । ମୃତକଙ୍କ ପରିଚୟ ଏବଂ ଚିହ୍ନଟ ପାଇଁ ସେମାନଙ୍କ ପରିବାର ଲୋକଙ୍କ ଡିଏନଏ ନମୂନା ସଂଗ୍ରହ କରାଯିବ । ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଛନ୍ତି । ଏହି ଦୁର୍ଘଟଣାରେ ଏବେ ଆମେରିକାର ଶୀର୍ଷ ତଦନ୍ତକାରୀ ଏଜେନ୍ସି ନ୍ୟାସନାଲ ଟ୍ରାନ୍ସପୋର୍ଟେଶନ ସେଫଟି ବୋର୍ଡ ଭାରତର ଏୟାରକ୍ରାଫ୍ଟ ଆକ୍ସିଡାଣ୍ଟ ଇନଭେଷ୍ଟିକେସନ ବ୍ୟୁରୋ ସହିତ ମିଶି ତଦନ୍ତ କରିବେ ।