ମୁମ୍ବାଇ: "ଧୁରନ୍ଧର" ଫିଲ୍ମଟି ଭାରତରେ ଏକ ଉତ୍ତେଜନା ସୃଷ୍ଟି କରୁଥିବା ବେଳେ, ଏହା ପାକିସ୍ତାନରେ ହଇଚଇ ସୃଷ୍ଟି କରୁଛି। ପାକିସ୍ତାନ କରାଚୀର ଏକ କୋର୍ଟରେ ଏହି ମୁଭି ବିରୋଧରେ ଏକ ଆବେଦନ ଦାଖଲ ହୋଇଛି। ଅଭିଯୋଗ ଅନୁସାରେ ଫିଲ୍ମରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟାଙ୍କ ଫଟୋ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ପତାକା ଓ ପାର୍ଟି ଗ୍ୟାଲିର ଫୁଟେଜ୍କୁ ଅନୁମତି ବିନା ବ୍ୟବହର କରାଯାଇଛି। ଏଥିସହିତ ପିପିପିକୁ ଫିଲ୍ମରେ ଆତଙ୍କବାଦକୁ ସମର୍ଥନ କରୁଥିବା ପାର୍ଟି ରୂପେ ଦର୍ଶାଇବାର ଅଭିଯୋଗ ମଧ୍ୟ ହୋଇଛି। ପିପିପି କର୍ମକର୍ତା ମହମ୍ମଦ ଆମିର କରାଚୀର ଡିଷ୍ଟ୍ରିକ୍ଟ ଆଣ୍ଡ୍ ସେସନ୍ସ କୋର୍ଟରେ ଏହି ଆବେଦନ ଦାଖଲ କରିଛନ୍ତି। ଏଥିରେ ଦାବି ହୋଇଛି ଯେ, ଫିଲ୍ମର ନିର୍ଦ୍ଦେଶକ, ନିର୍ମାତା, କଳାକାର ଏବଂ ପ୍ରଚାରରେ ସାମିଲ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉ।
ଆବେଦନରେ ଫିଲ୍ମର ମୁଖ୍ୟ ଅଭିନେତା ରଣବୀର ସିଂହଙ୍କ ସମେତ ସଞ୍ଜୟ ଦତ୍ତ, ଅକ୍ଷୟ ଖାନ୍ନା, ଅର୍ଜୁନ ରାମପାଲ, ଆର୍ ମାଧବନ, ସାରା ଅର୍ଜୁନ ଓ ରାଜେଶ ବେନି, ନିର୍ଦ୍ଦେଶକ ଆଦିତ୍ୟ ଧର, ନିର୍ମାତା ଲୋକେଶ ଧର୍ ଓ ଜ୍ୟୋତି କିଶୋର ଦେଶପାଣ୍ଡେଙ୍କ ନାଁ ମଧ୍ୟ ରହିଛି। ଅଭିଯୋଗକର୍ତ୍ତାଙ୍କ ଅନୁସାରେ, ଫିଲ୍ମର ଔପଚାରିକ ଟ୍ରେଲର୍ରେ ବେନଜୀର ଭୁଟ୍ଟଙ୍କ ଫଟୋ ଓ ପିପିପି ସହ ସଂଶ୍ଳିଷ୍ଟ ଦୃଶ୍ୟ କୌଣସି ଆଇନଗତ ଅନୁମତି ବିନା ପ୍ରଦର୍ଶିତ ହୋଇଛି ।
ପିପିପିକୁ ଆତଙ୍କୀଙ୍କ ପ୍ରତି ସହାନୁଭୂତି ରଖୁ ଥିବା ପାର୍ଟି ରୂପେ ମଧ୍ୟ ଉପସ୍ଥାପନ କରାଯାଇଛି। କରାଚୀର ଲ୍ୟାରାକୁ କୁ ଆତଙ୍କୀଙ୍କ ଯୁଦ୍ଧ କ୍ଷେତ୍ର ବୋଲି କୁହାଯାଇଛି, ଯାହା ମାନହାନିକାରକ ଏବଂ ପାକିସ୍ତାନର ଛବିକୁ ନଷ୍ଟ କରୁଛି। ଆବେଦନକର୍ତ୍ତା ପ୍ରଥମେ ଦରଖାନସ୍ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିଲେ। କିନ୍ତୁ ପୁଲିସ ମାମଲା ରୁଜୁନ କରିବାରୁ ସେ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି। ‘ଧୁରନ୍ଧର’ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ତେବେ ମଧ୍ୟପ୍ରାଚ୍ୟରେ ଅନେକ ଦେଶରେ ପିଲ୍ମକୁ ବ୍ୟାନ୍ କରାଯାଇଛି।