ଅହମ୍ମଦାବାଦ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚି ଯାଇଛନ୍ତି। ଅହମ୍ମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ପୋଲିସକୁ ସିଟ୍ 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ଜୀବିତ ପାଇଛନ୍ତି। ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। ମୃତକଙ୍କ ସଂଖ୍ୟାକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ବିମାନଟି ଏକ ଜନବହୁଳ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ବଞ୍ଚିଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର ରମେଶ ଘଟଣା ବିଷୟରେ ବଖାଣିଛନ୍ତି। ସେ କହିଛନ୍ତି, "ଉଡ଼ାଣ ଆରମ୍ଭ ହେବାର ୩୦ ସେକେଣ୍ଡ ପରେ ଏକ ଜୋରରେ ଶବ୍ଦ ହୋଇଥିଲା ଏବଂ ତା'ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏସବୁ ବହୁତ ଶୀଘ୍ର ଘଟିଥିଲା। ଯେତେବେଳେ ମୁଁ ଉଠିଲି, ମୋ ଚାରିପାଖରେ ମୃତଦେହ ବିଛାଡ଼ି ହୋଇ ପଡ଼ିଥିଲା। ମୁଁ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଲି। ବିମାନର ଖଣ୍ଡଗୁଡ଼ିକ ମୋ ଚାରିପାଖରେ ବିଛାଡ଼ି ହୋଇ ପଡ଼ିଥିଲା। କେହି ଜଣେ ମୋତେ ଧରି ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଗଲେ।" ବିଶ୍ୱାସ ତାଙ୍କ ପରିବାରକୁ ଭେଟିବାକୁ ଭାରତ ଆସିଥିଲେ।
ବ୍ରିଟିଶ ନାଗରିକ ବିଶ୍ୱାସ କିଛି ଦିନ ପାଇଁ ତାଙ୍କ ପରିବାରକୁ ଭେଟିବାକୁ ଭାରତ ଆସିଥିଲେ ଏବଂ ତାଙ୍କ ଭାଇ ଅଜୟ କୁମାର ରମେଶ (୪୫)ଙ୍କ ସହିତ ବ୍ରିଟେନ ଫେରୁଥିଲେ। ବିଶ୍ୱାସ କହିଛନ୍ତି ଯେ ସେ ୨୦ ବର୍ଷ ଧରି ଲଣ୍ଡନରେ ରହୁଛନ୍ତି। ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଲଣ୍ଡନରେ ରହୁଛନ୍ତି। ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟ କହିଛନ୍ତି ଯେ ସେ ଏବଂ ରାଣୀ କାମିଲା ଅହମ୍ମଦାବାଦର ଭୟଙ୍କର ଘଟଣା ଦେଖି ମର୍ମାହତ।
AAIB ଦୁର୍ଘଟଣାର ତଦନ୍ତ କରିବ
ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ କରିବ। ଅଧିକାରୀ କହିଛନ୍ତି ଯେ AAIB ର ନିର୍ଦ୍ଦେଶକ ଜେନେରାଲ ଏବଂ ସଂସ୍ଥାର ତଦନ୍ତ ନିର୍ଦ୍ଦେଶକଙ୍କ ସମେତ ଅନ୍ୟମାନେ ଅହମ୍ମଦାବାଦ ଗସ୍ତ କରିବେ। ବିମାନ ନିର୍ମାଣକାରୀ କମ୍ପାନିଂ ବୋଇଂ ଏକ ବିବୃତ୍ତିରେ କହିଛି, "ଆମେ ପ୍ରାରମ୍ଭିକ ରିପୋର୍ଟ ବିଷୟରେ ଅବଗତ ଅଛୁ ଏବଂ ଘଟଣାରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ କାମ କରୁଛୁ।" ଗୁଜୁରାଟ ସରକାର ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିମାନରେ ଥିବା ଲୋକଙ୍କ ସମ୍ପର୍କୀୟଙ୍କୁ DNA ନମୁନା ଦେବାକୁ ଅପିଲ୍ କରିଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନେକ ମୃତଦେହକୁ ଚିହ୍ନଟ କରିବା କଷ୍ଟକର ହୋଇଗଲାଣି।