ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହା ପରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି । ଏହା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ପୂରା ଦେଶ ପୀଡିତ ପରିବାରଙ୍କ ସହ ଥିବା ଗୃହ ମନ୍ତ୍ରୀ କହିଛନ୍ତି ।
ଶାହ କହିଛନ୍ତି, ଗୁରୁବାର ଅପରାହ୍ଣରେ ଏୟାର ଇଣ୍ଡିଆର ବିମାନ ସଂଖ୍ୟା ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ପୂରା ଦେଶ ସ୍ତବ୍ଧ । ପୂରା ଦେଶ ପୀଡିତଙ୍କ ପରିବାର ସହ ଛିଡା ହୋଇ ରହିଛି । ସର୍ବପ୍ରଥମେ ମୁଁ ଭାରତ ସରକାର, ଗୁଜରାଟ ସରକାର, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୃତାହତ ପରିବାରଙ୍କ ପ୍ରତି ଗଭୀର ସମବେଦନା ବ୍ୟକ୍ତ କରୁଛି ।
ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣାରେ ବଞ୍ଚି ଯାଇଥିବା ଯାତ୍ରୀଙ୍କୁ ଭେଟିଲି । ମୃତକଙ୍କ ଚିହ୍ନଟ ପାଇଁ ଡିଏନଏ ଯାଞ୍ଚ କରାଯିବ । ବିମାନରେ ଏକ ଲକ୍ଷ ୨୫ ହଜାର ଲିଟର ଇନ୍ଧନ ଥିଲା । ତେଣୁ ବିମାନ ଖସିବା ପରେ ବିସ୍ଫୋରଣ ସହ ନିଆଁ ଏମିତି ବ୍ୟାପିଲା ଯେ, ଯାତ୍ରୀଙ୍କୁ ବଞ୍ଚାଇବାର ସୁଯୋଗ ବି ମିଳିଲାନି । ଗୁଜରାଟରେ ପ୍ରାୟ ୧୦୦୦ ଡିଏନଏ ଟେଷ୍ଟ କରାଯିବ । ତଦନ୍ତ ପ୍ରକ୍ରିୟାକୁ ଦ୍ରୁତ କରାଯିବ ।
ସୂଚନାଯୋଗ୍ୟ, ଅହମ୍ମଦାବାଦର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲଣ୍ଡନ ଅଭିମୁଖେ ଯାଉଥିବା ବିମାନଟି ଉଡାଣ ଭରିବାର କିଛି ମିନିଟ୍ ପରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡିଥିଲା । ଏହି ହୃଦୟୁ ବିଦାରକ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୬୫କୁ ବୃଦ୍ଧି ଘଟିଛି । ବିମାନରେ ଥିବା ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିମାନଟି ମେଡିକାଲ କଲେଜ ହଷ୍ଟେଲ ଉପରେ ପଡିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି ।