ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଗୁରୁବାର ଏସଡିଜେଏମ୍ କୋର୍ଟ ମନୀଷ ଅଗ୍ରୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୂଚାଲିକାରେ ଶ୍ରୀ ଅଗ୍ରୱାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଏ ନେଇ ତାଙ୍କ ଓକିଲ ନୃସିଂହ ମହାନ୍ତି ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପ୍ରତିପକ୍ଷ ଓକିଲ ତଥା ବରିଷ୍ଠ ଆଇନଜୀବୀ ଗୋବିନ୍ଦ ପାତ୍ର ମନୀଷ ଅଗ୍ରୱାଲଙ୍କ ଗର୍ବ ଭାଙ୍ଗିଥିବା କହିଛନ୍ତି । ପ୍ରଶାସନିକ ଅଧିକାରୀ ଥିବାବେଳେ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ମନୀଷ ଅଗ୍ରୱାଲ ଅନୁଭବ କରିଥିବେ ବୋଲି କହିଛନ୍ତି ଆଇନଜୀବୀ ଶ୍ରୀ ପାତ୍ର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୯ ଡିସେମ୍ବର ୨୭ରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ସନ୍ଦେହ ଜନକଭାବେ ନିଖୋଜ ହୋଇଯାଇଥିଲେ । ଦିନକ ପରେ ଡିସେମ୍ବର ୨୮ ତାରିଖରେ ମାଲକାନଗିରି ଉପଖଣ୍ଡ ସତୀଗୁଡା ଜଳ ଭଣ୍ଡାରରୁ ଦେବ ନାରାୟଣଙ୍କ ମୃତ ଦେହ ମିଳିଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଅଭିଯୋଗ କରିଥିଲେ ।
ଘଟଣାର ବର୍ଷକ ପରେ ଅର୍ଥାତ ୨୦୨୦ ନଭେମ୍ବରରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ତିନି ସହଯୋଗୀ, ଅବସରପ୍ରାପ୍ତ ଓଏଏସ୍ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ ହୋଇଥିଲା । ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଥିଲା ।
ତେବେ ଚଳିତବର୍ଷ ଫେବୃୟାରୀ ୩ ତାରିଖରେ ଏସଜିଜେଏମ୍ କୋର୍ଟ ଅଗ୍ରୱାଲଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ବାରମ୍ବାର ସମନ ପରେ କୋର୍ଟରେ ହାଜର ନ ହେବାରୁ ଏନବିଡବ୍ଲ୍ୟୁ ଜାରି କରାଯାଇଥିଲା । ତେବେ ଓଡ଼ିଶା ହାଇକୋର୍ଟ ନିମ୍ନ ଅଦାଲତଙ୍କ NBW ଉପରେ ରୋକ୍ ଲଗାଇଥିଲେ ।