ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆବୁଧାବିକୁ ଆରମ୍ଭ ହୋଇଛି ସିଧାସଳଖ ବିମାନ ସେବା । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ଉଡ଼ାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ବିଜୁ ପଟ୍ଟାନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।
ଗୁରୁବାର ସକାଳ ୯ଟା ୩୫ରେ ଇଣ୍ଡିଗୋ ବିମାନ (6E 1441) ଆବୁଧାବି ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ଏହା ଅପରାହ୍ନ ୧୨.୩୫ରେ ଆବୁଧାବି ରେ ଅବତରଣ କରିବ । ପୁନର୍ବାର ଆବୁଧାବିରୁ ସ୍ଥାନୀୟ ସମୟ ରାତି ୨ଟା ୩୫ ରେ ବାହାରି ସକାଳ ୮.୩୫ ରେ ବିମାନ ଭୁବନେଶ୍ୱରରେ ପହଂଚିବ । ଆବୁଧାବି ସହ ଭୁବନେଶ୍ୱରରୁ ବିଦେଶକୁ ଏହା ପଞ୍ଚମ ବିମାନ ସେବା । ସରକାର ବିଶେଷ କରି (Middle-east) ମଧ୍ୟ-ପ୍ରାଚ୍ୟ ଦେଶ ଗୁଡିକ ଓଡ଼ିଶା ସହ ଯୋଗାଯୋଗ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଭିତ୍ତିଭୂମି ସୁଦୃଢ ହେବା ସହ ଶିଳ୍ପାୟନ, ଜିଡିପି ବୃଦ୍ଧି ଆଦି ଲକ୍ଷ୍ୟ ରଖାଯାଇଛି ।
ସେହିପରି ଏଥିସହ ବିଶାଖାପାଟଣାକୁ ମଧ୍ୟ ଯିବ ଡାଇରେକ୍ଟ ଫ୍ଲାଇଟ । ଅପରାହ୍ନ ୧୨.୩୫ ରେ ବିମାନ ଭୁବନେଶ୍ୱର ଛାଡ଼ି ଗୋଟାଏ ୫୫ରେ ବିଶାଖାପାଟଣା ପହଂଚିବ । ସେହିପରି ଅପରାହ୍ନ ୨ଟା ୨୫ ରେ ବିଶାଖାପାଟଣାରୁ ବାହାରି ୩ଟା୪୫ ରେ ଭୁବନେଶ୍ୱର ପହଂଚିବ । ବିଶାଖାପାଟଣା ପାଇଁ ଇଣ୍ଡିଗୋ ୬ଋ ୬୨୧୪ ବିମାନ ସେବା ଅଛି । ଅନ୍ୟପକ୍ଷରେ ଆଜିଠାରୁ କାର୍ଗୋ ସେବା ମଧ୍ୟ ଆରମ୍ଭ ହୋଇଛି । କେନ୍ଦୁଝର, ଢେଙ୍କାନାଳ, ନୂଆପଡା, ରାୟଗଡା ଭଳି ଜିଲ୍ଲାରୁ ୫୦ ଟନ ଆମ୍ରପାଲି ଆମ୍ବ ପଠାଯାଇଛି ।
ମୁଖ୍ୟମନ୍ତ୍ରୀ ବିମାନର ଶୁଭାରମ୍ଭ କରି କହିଛନ୍ତି ଯେ ଶିଳ୍ପର ବିକାଶ ସମେତ ବ୍ୟବସାୟିକ ସମ୍ପର୍କକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଜି ବର୍ଷ ପୂର୍ତ୍ତି ଅବସରରେ ଆବୁ ଧାବିକୁ ଆରମ୍ଭ ହୋଇଛି ଆନ୍ତର୍ଜାତୀୟ ବିମାନ ସେବା । ଓଡିଶା ପାଇଁ ଖୁସି ଓ ଗର୍ବର ବିଷୟ । New destination policy ଅଧୀନରେ ଆରମ୍ଭ ହୋଇଛି ଏହି ସେବା । ଯେବେଠୁ ନୂଆ ସରକାର ଦାୟିତ୍ୱ ନେଇଛନ୍ତି ବିଶେଷ କରି (Middle-east) ମଧ୍ୟ-ପ୍ରାଚ୍ୟ ଦେଶ ଗୁଡିକ ଓଡିଶା ସହ ଯୋଗାଯୋଗ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜି ନିବେଶ ସାଂସ୍କୃତିକ ଭାବ ବିନିମୟ ପାଇଁ ସିଧାସଳଖ ସୁସମ୍ପର୍କ ପ୍ରତିଷ୍ଠା ହେବ ଓ ଆହୁରି ଆଗକୁ ସୁଯୋଗାଯୋଗ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସଡକ ପଥ ଓ ରେଳ ପଥ ସହିତ ଆକାଶ ପଥରେ ମଧ୍ୟ ଯୋଗାଯୋଗ ପାଇଁ ପଦକ୍ଷେପ ନେଇଛନ୍ତି। ଓଡଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଡିବା ପାଇଁ ଉଦ୍ୟମ ଜାରି ରହିଛି। ଭୁବନେଶ୍ୱରରୁ ଡେରାଡୁନ, ଗାଜିଆବାଦ, ଗୋଆ, ଇନ୍ଦୋର, କୋଚି, ଲକ୍ଷ୍ନୌ ଓ ପୋର୍ଟବ୍ଲେୟାରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ, ଝାରସୁଗୁଡାରୁ ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ବାଇ ଓ ରାୟପୁରକୁ ମଧ୍ୟ ବିମାନ ସଂଯୋଗ କରାଯାଇଛି।