କେନ୍ଦ୍ରାପଡ଼ା: ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ । ସେ ଦୀର୍ଘଦିନ ଧରି ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ୬୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡ଼ା ଆଳି ବିଧାନସଭା ଆସନରୁ ଲଢ଼ି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ ଦେବେନ୍ଦ୍ର । ଗତ ୨୦୨୪ ନିର୍ବାଚନରେ ଦେବେନ୍ଦ୍ରଙ୍କ ଝିଅ ଦେବସ୍ମିତା ଶର୍ମା କଂଗ୍ରେସ ଦଳରୁ ବିଧାୟିକା ପ୍ରାର୍ଥୀ ହୋଇଥିଲେ ।
ଦେବେନ୍ଦ୍ର କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରା ଥିଲେ । କଟକରେ ୧୮ ମାର୍ଚ୍ଚ ୧୯୫୯ରେ ଜନ୍ମଗ୍ରହଣ କରିଥିଲେ ଦେବେନ୍ଦ୍ର । ରେଭେନ୍ସା କଲିଜିଏଟ ସ୍କୁଲରେ ପାଠପଢ଼ା ଶେଷ ପରେ ମୟୂରଭଞ୍ଜ ଆଇନ କଲେଜରୁ ୧୯୮୨ ମସିହାରେ ଗ୍ରାଜୁଏସନ ଶେଷ କରିଥିଲେ । ଦେବେନ୍ଦ୍ରଙ୍କ ବାପା ଡ଼. ଦିବାକର ଶର୍ମା କଂଗ୍ରେସର ଜଣେ ପ୍ରମୁଖ ନେତା ଥିଲେ । ସେ ମଧ୍ୟ ଆଳି ବିଧାନସଭା ଆସନରୁ ୧୯୬୭ରେ ବିଧାୟକ ହୋଇଥିଲେ । ବାପାଙ୍କୁ ଅନୁସରଣ କରି ଦେବେନ୍ଦ୍ର ଜାତୀୟ କଂଗ୍ରେସରେ ସାମିଲ ହୋଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ମୁଖ୍ୟ ଏବଂ AICC ଏବଂ OPCCର ସଦସ୍ୟ ରହିଥିଲେ । ତେବେ ୨୦୧୪ ନିର୍ବାଚନରେ ସେ ଆଳି ବିଧାନସଭା ଆସନରୁ କଂଗ୍ରେସ ଟିକଟରୁ ଲଢ଼ି ବିଜେଡିର ପ୍ରତାପ କେଶରୀ ଦେବଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ।
ଦେବେନ୍ଦ୍ରଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିଜ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଲେଖିଛନ୍ତି, "କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକପ୍ରତିନିଧି ଭାବେ ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ଓମ୍ ଶାନ୍ତି ।