ପୁଣି ଜମି ବିବାଦକୁ ନେଇ ହତ୍ୟାକାଣ୍ଡ । ଜମି ପାଇଁ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନାର ଲୁଣଚାଟି ଗାଁରେ ଘଟିଛି ।
ସୂଚନା ଅନୁସାରେ, ଘର ଓ ଜମିବାଡ଼ି ପାଇଁ ଦୁଇ ଭାଇଙ୍କ ମଧ୍ୟରେ ସବୁଦିନ ପାଟିତୁଣ୍ଡ ଲାଗି ରହିଥାଏ । କିନ୍ତୁ ଆଜି ଏହା ବଚସା ରୂପ ଧାରଣ କରିଥିଲା । ସାନଭାଇ ଘର ଚାରିପଟେ ବାଡ଼ ବୁଲେଇବାକୁ ଯିବା ସମୟରେ ବଡ଼ ଭାଇ ବିରୋଧ କରିଥିଲେ । ଯାହା କିଛି ସମୟ ମଧ୍ୟରେ ବଚସା ଓ ପରେ ହାତାହାତିରେ ପରିଣତ ହୋଇଯାଇଥିଲା । ବଡ଼ଭାଇ ସାନଭାଇକୁ ଖଣ୍ଡାରେ ଆକ୍ରମଣ କରିଥିଲା । ଫଳରେ ସାନଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ବଡ଼ଭାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି କରିଛି ।