ଭୁବନେଶ୍ବର: ସାଧାରଣ ଲୋକଙ୍କ ଠାରୁ କୋଟି କୋଟି ଠକେଇ ଅଭିଯୋଗରେ ବାନ୍ଧିଲା ଇଓଡବ୍ଲ୍ୟୁ। ମାସିକ ୧୧ ପ୍ରତିଶତରୁ ୧୮ ପ୍ରତିଶତ ରିଟର୍ଣ୍ଣ ଲୋଭ ଦେଖାଇ ଓଡ଼ିଶା ସମେତ ୧୦ଟି ରାଜ୍ୟର ଲୋକଙ୍କଠାରୁ ୧୦୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କଟକଜିଲ୍ଲା ୪୨ ମୌଜା ଅଞ୍ଚଳର ପ୍ରତାପ କୁମାର ରାଉତ ନାମକ ବ୍ଯକ୍ତିକୁ ଇଓଡବ୍ଲ୍ୟୁ ଗିରଫ କରିଛି।
ନିବେଶକାରୀ ବିଜୟ କୁମାର ପାଣିଗ୍ରାହୀଙ୍କ ଅଭିଯୋଗ ଅନୁସାରେ ସେ ହେଡ୍ଜେକ୍ସ ଫଣ୍ଡ ଏଲ୍ଏଲ୍ପିରେ ୯୨ଲକ୍ଷ୬୦ ହଜାର ଟଙ୍କା ନିବେଶ କରିଥିଲେ। ଏହି କମ୍ପାନିର ଓଡ଼ିଶା ମୁଖ୍ୟ ପ୍ରତାପ କୁମାର ରାଉତ ତାଙ୍କୁ ୧୧ରୁ ୧୮ପ୍ରତିଶତ ମାସିକ ରିଟର୍ଣ୍ଣ ପାଇବାର ପ୍ରଲୋଭନ ଦେଖାଇ ପୁଞ୍ଜିନିବେଶ ପାଇଁ କହିଥିଲେ। ପ୍ରତାପ କଥାରେ ପ୍ରଲୋଭିତ ହୋଇ ସେ ଦେଇଥିବା ଆକାଉଣ୍ଟ ନମ୍ବର ମାଧ୍ୟମରେ ଟଙ୍କା ନିବେଶ କରିଥିଲେ। କିନ୍ତୁ କିଛି ଦିନ ପରେ କମ୍ପାନି ବନ୍ଦ ହୋଇଯାଇଥିଲା। ତାଙ୍କର ଜମାରାଶି ମଧ୍ୟ ଉଠାଇ ପାରି ନଥିଲେ। ଏନେଇ ସେ ପ୍ରତାପ ସହ ଯୋଗାଯୋଗ କରିବାରୁ ସେ କେବଳ ଭୁଆଁ ବୁଲାଇ ଚାଲିଥିଲା।
ତଦନ୍ତ ବେଳେ ଜଣାପଡିଛି ଯେ ପ୍ରତାପ ରାଉତ ଓଡ଼ିଶାରୁ କମ୍ପାନିରେ ଟଙ୍କା ନିବେଶ ପାଇଁ କାମ କରୁଥିଲା। ସେ ଅନେକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ ସଂଗ୍ରହ କରୁଥିଲା। ଏହା ସହିତ ସେ ନଗଦ ଓ ହାୱାଲା ଏଜେଣ୍ଟ ମାଧ୍ୟମରେ ମଧ୍ୟ ବହୁ ପରିମାଣରେ ଟଙ୍କା ସଂଗ୍ରହ କରିଥିଲା। କୋଟି କୋଟି ଟଙ୍କା ଜମା ହେବା ପରେ, କମ୍ପାନି ହଠାତ୍ ବନ୍ଦ ହୋଇଯାଇଥିଲା। ବନ୍ଦ ହେବା ପରେ ପ୍ରତାପ ରାଉତ ନିବେଶକାରୀମାନଙ୍କୁ କମ୍ପାନିର ମୁଖ୍ୟ ସହଯୋଗୀ ଦିନେଶ କୁମାର ଜୈନଙ୍କ ସହ ଯୋଗାଯୋଗ କରାଇ ଜମା ରାଶି ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଟଙ୍କା ଫେରି ନପାଇବାରୁ ବିଜୟ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ।
ସୂଚନା ଥାଉ କି ଏହି କମ୍ପାନି ୨୦୨୩ ମସିହାରେ ଗୋଆରେ ଆର୍ଓସିରେ ପଞ୍ଜୀକୃତ ହୋଇଥିଲା। ତେବେ, ଏହା ୧୦ଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ, ଦିଲ୍ଲୀ ଓ ଓଡ଼ିଶାରେ କାର୍ଯ୍ୟ କରୁଥିଲା। ଯେଉଁଠାରେ ୩ ଲକ୍ଷରୁ ଅଧିକ ନିବେଶକାରୀ ଥିଲେ। ଠକେଇର ପରିମାଣ ୧ହଜାର କୋଟି ଟଙ୍କାରୁ ଅଧିକ ବୋଲି ଅନୁମାନ କରାଯାଇଛି। ଓଡ଼ିଶାର ୧୨ହଜାରରୁ ଅଧିକ ନିବେଶକାରୀଙ୍କର ପ୍ରାୟ ୧୩୯ କୋଟି ଟଙ୍କା ଏଥିରେ ରହିଛି।