ମୟୁରଭଞ୍ଜ/ମାଲକାନଗିରି: ମାଲକାନଗିରି ବାଲିମେଳାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ୩ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ କାର ଉପରେ ଓଲଟି ପଡ଼ିଲା ବସ୍ । ମୟୁରଭଞ୍ଜ ଜିଲ୍ଲା ଦ୍ୱାରଶୁଣି ଘାଟିରେ ଏଭଳି ଦୁର୍ଘଟଣା ଘଟିଛି । ଫଳରେ ୪ ଜଣ ଗୁରୁତର ହୋଇଥିବାବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ମାଲକାନଗିରି ସଦର ଥାନା ବାଲିମେଳା ମୁଖ୍ୟରାସ୍ତାର ଏମଭି- ୧୧ ନିକଟରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦମ୍ପତିଙ୍କ ସହ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି । ସେହିପରି ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମୃତକମାନେ ହେଲେ ରାମ କୁମାର, ଯମୁନା ଓ ମୋହନ ମାଝୀ । ଏମଭି-୩୬ ଗ୍ରାମର ରାମ କୁମାର ଏବଂ ତାଙ୍କ ପତ୍ନୀ ଯମୁନା ସରଦାର ମାଲକାନଗିରି ମେଡିକାଲକୁ ଚିକିତ୍ସା ସାରି ଘରକୁ ଫେରୁଥିଲେ। ସେପଟେ କୋରକୋଣ୍ଡାର ଇନ୍ଦ୍ର କୋଲନିର ଦୁଇ ଜଣ ଯୁବକ ମୋହନ ମାଝୀ ଏବଂ ମଧୁ ଜାନି ନାମକ ଦୁଇ ଯୁବକ ନିଜ ବାଇକ୍ରେ ମାଲକାନଗିରି ଆସୁଥିଲେ। ଏମଭି-୧୧ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଦମ୍ପତିଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା । ମୋହନ ମାଝୀଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମଧୁ ଜାନି ସାମାନ୍ୟ ଆହତ ହୋଇଛନ୍ତି।
ସେହିପରି ମୟୁରଭଞ୍ଜ ଜିଲ୍ଲା ଦ୍ଵାରଶୁଣି କାର ଉପରେ ଯାତ୍ରୀ ଭର୍ତ୍ତି ବସ୍ ଓଲଟି ପଡ଼ିଛି । ୪୯ ନମ୍ବର ଜାତୀୟ ରାଜପଥର ଦ୍ଵାରଶୁଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଉଭୟ ବସ ଓ କାର ବିଶୋଇ ପଟୁ ବାଙ୍ଗିରିପୋଷି ଆଡ଼କୁ ଆସୁଥିବା ବେଳେ ଦ୍ଵାରଶୁଣି ଘାଟିରେ ଘଟିଛି ଦୁର୍ଘଟଣା । ଅଗ୍ନିଶମ ବିଭାଗ ମୁଖ୍ୟ ଅଧିକାରୀ ରମେଶ ମାଝୀଙ୍କ ସୂଚନା ଦେଇଛନ୍ତି ଯେ ଘରୋଇ ବସ ଶ୍ରୀଗଣେଶ କାରକୁ ଓଭରଟେକ୍ କରୁଥିବା ସମୟରେ ଅସାବଧାନତା ହେତୁ ଭାରସାମ୍ୟ ହରାଇ କାର ଉପରେ ପାଲଟି ଯାଇଛି। ବସ୍ରେ ୬୦ରୁ ୬୫ ଯାତ୍ରୀ ଥିଲେ । ରାସ୍ତା ମରାମତି ଚାଲିଥିବାରୁ ଓଭର୍ ଟେକ୍ କରିବାର ନ ଥିବା ବୋଲି ସେ କହିଛନ୍ତି । ତେବେ ଏଥିରେ ଉଭୟ ବସ ଓ କାରର ଚାରି ଜଣ ଗୁରୁତର ହୋଇଥିଲା ବେଳେ ୧୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ମେଡ଼ିକାଲକୁ ପଠାଇଛି ।