ପରିବା ବଜାରରେ ଲାଗିଛି ନିଆଁ। କାର୍ତ୍ତିକ ମାସର ଅଧା ଦିନ ବିତିଗଲାଣି କିନ୍ତୁ ପରିବା ବଜାରରେ ଏମିତି ନିଆଁ ଲାଗିଛି ଯେ, ସବୁଜ ପନିପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ। ହୁ ହୁ ହୋଇ ବଢିଚାଲିଛି ପରିବା ଦର । କାର୍ତ୍ତିକ ମାସର ଦିନ ଗଡିବା ସହ ପରିବା ଦର ମଧ୍ୟ ବଢି ବଢି ଚାଲିଛି । ମାସକ ମଧ୍ୟରେ ପରିବା ଦର ୨୫ ପ୍ରତିଶତରୁ ଅଧିକ ହୋଇଛି। ଖାଇବା ତେଲ, ଡାଲି, ପିଆଜ, ଦର ନିୟନ୍ତ୍ରଣ ହରାଇଛି।
ଗତ ୩ ମାସ ମଧ୍ୟରେ ଲଗାଣ ବର୍ଷା ଓ ଲଗାତର ବନ୍ୟା ଯୋଗୁ ସବୁବର୍ଗ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ମହଙ୍ଗା ମାଡ଼ ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରୁଛି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ବଜାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।
ଗତ ମାସକ ପୂର୍ବେ ଟମାଟୋ କେଜି ପ୍ରତି ମାତ୍ର ୨୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୬୦ ଟଙ୍କାରୁ କମ୍ରେ ବିକ୍ରି କରି ହେଉନାହିଁ। ସେହିପରି ଭେଣ୍ଡି, ଜହ୍ନି କେଜି ପ୍ରତି ୮୦ଟଙ୍କା ରହିଛି। ଆଳୁ, ପିଆଜ, ବିନ୍ସ ଓ ଝୁଡଙ୍ଗ ଆଦିର ମୂଲ୍ୟ ଅଧିକ ରହିଛି। ଆଳୁ କିଲୋ ପ୍ରତି ପୂର୍ବରୁ ୨୦ ଟଙ୍କା ଥିବା ବେଳେ ଏବେ ୩୫ ଟଙ୍କା ରହିଛି। ସେହିଭଳି ପିଆଜ କିଲୋ ପ୍ରତି ପୂର୍ବରୁ ଥିଲା ୨୫ ଏବେ ୪୩। ବାଇଗଣ କିଲୋ ପ୍ରତି ପୂର୍ବରୁ ଥିଲା ୪୦ ଏବେ ୭୦ ଛୁଇଁଛି। ଯାହାକୁ ଛୁଇଁବାକୁ ଗ୍ରାହକଙ୍କୁ ଡରୁଛନ୍ତି । ଦର ଅଧିକ ଥିବାରୁ ବେପାର ମଧ୍ୟ ମାନ୍ଦା ରହୁଛି। ଯାହାକୁ ନେଇ ବ୍ୟବସାୟୀ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି।
ବ୍ୟବସାୟୀଙ୍କ କହିବା କଥା ଲଗାଣ ବର୍ଷା ଯୋଗୁଁ ପରିବା ଆମଦାନୀ ଠିକ୍ ଭାବେ ହେଉ ନାହିଁ। ତେଣୁ ଯେତିକି ମାଲ ଅସୁଛି ତାହାର ଉଚ୍ଚା ଦାମ ରହୁଛି। ଦର ଉଚ୍ଚା ଯୋଗୁଁ ଯେଉଁଠି ଗ୍ରାହକ ଗୋଟିଏ କିଲୋ ନେବା କଥା ସେଠି ଅଧକିଲୋ, ଅଢେଇ ଶହ ନେଉଛନ୍ତି। ତେବେ ପନିବରିବା ପାଇଁ କେବଳ ବ୍ୟବସାୟୀ ଘାଟା ସହିଛନ୍ତି ତାହା ନୁହେଁ ବରଂ ଏହା କାର୍ତ୍ତିକ ମାସର ହବିଷ ଡାଲମାକୁ ମଧ୍ୟ ଟିକିଏ ପାଣିଚିଆ କରିଦେଇଛି। ପନିପରିବାର ଦର ବୃଦ୍ଧି ହବିଷ ଡାଲମା ଉପରେ ମାଡ ସଦୃଶ ହୋଇଛି। କାର୍ତ୍ତିକ ମାସରେ ଅଧିକାଂଶ ଲୋକ ଆମିଷ ଖାଉନଥିବାରୁ ନିରାମିଷ ତରକାରି ହବିଷ ପାଇଁ ଲୋକ ପନିପରିବା ଉପରେ ନିର୍ଭର କରିଥାନ୍ତି। ତେବେ ଲୋକଙ୍କ ଚାହିଦାକୁ ଦେଖି ବେପାରୀ ମାନେ ମଧ୍ୟ ଏଭଳି ସୁଯୋଗକୁ ହାତଛଡା କରିବାକୁ ନାରାଜ। ପାଟିରୁ ଯାହା ବାହାରିଲା ସେହି ଦରରେ ବିକ୍ରି ହେଉଛି ପରିବା। ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଉଛି।