ଭୁବନେଶ୍ୱର : ଆସନ୍ତା ୨୧ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ରହିଛି। ଦକ୍ଷିଣ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତର ରୂପ ନେବ। ଅକ୍ଟୋବରରେ ଲଘୁଚାପରୁ ଅବପାତ ଏବଂ ବାତ୍ଯା ସମ୍ଭାବନାକୁ ନେଇ ଆଶଙ୍କା ବଢିଛି ।
ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ମଡେଲ ସୂଚିତ କରୁଛି । ଯାହା ଅଧିକ ତୀବ୍ରତର ହୋଇ ଓ ପଶ୍ଚିମ - ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଅବପାତ ପାଇଁ ଏକ ଅନୁକୂଳ ପରିବେଶ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଶୁକ୍ରବାର ଓ ଶନିବାର ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଅକ୍ଟୋବର ୧୯ ଓ ଅକ୍ଟୋବର ୨୦ ତାରିଖରେ ଉପକୂଳ ଜିଲ୍ଲାଗୁଡିକ ସମେତ କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୨୧ଓ ୨୨ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ୨୩ ଅକ୍ଟୋବରରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।