ଭୁବନେଶ୍ୱର: ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସାଇବର ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ କରାଯିବ । ମୁଖ୍ୟମନ୍ତ୍ରୀ ୧୬ଟି ସଚେତନତା ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଇଣ୍ଟରନେଟ୍ ବ୍ୟବହାରୀକାରୀଙ୍କୁ ସାଇବର ଅପରାଧ, ଅନଲାଇନ ଠକେଇ ଭଳି ଅପରାଧର ଶୀକାର ହେବାକୁ ପଡୁଛି । ଏହି ଅପରାଧକୁ ରୋକିବା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି । ସାଇବର ପୋଲିସଙ୍କୁ ଶକ୍ତିଶାଳୀ କରିବା, ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଭଳି ପଦକ୍ଷେପମାନ ଗ୍ରହଣ କରିଛନ୍ତି।
ସାଇବର ଅପରାଧ ରୋକିବା କ୍ଷେତ୍ରରେ ଓଡିଶା ପୋଲିସକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ସାଇବର ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରାଯାଇଛି । ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ ଏକ୍ସପର୍ଟଙ୍କୁ ଖୁବଶୀଘ୍ର ନିଯୁକ୍ତି ଦିଆଯିବ । ଏଥି ସହିତ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ଗଠନ କରାଯିବ ଏବଂ ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଭାବରେ କାର୍ଯ୍ୟ କରିବ ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଅଧିକାଂଶ ସାଇବର ଠକାମୀର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ । ଏଥିପାଇଁ ଅନଲାଇନ, ଡିଜିଟାଲ ଓ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପଡିବ, ସଚେତନ ହେବାକୁ ପଡିବ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆଜିଠାରୁ ଏହି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସାଇବର ଠକେଇର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ସଚେତନ କରାଯିବ । ସେଥିପାଇଁ ଏହି ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଇଣ୍ଟରନେଟ୍ ଜରିଆରେ ଝିଅ ମାନଙ୍କୁ ବ୍ଲାକମେଲିଙ୍ଗ ଓ ମାନସିକ ନିର୍ଯ୍ୟାତନା ଉପରେ କ୍ଷୋଭ ପ୍ରକାଶ କରି ଓଡିଶା ପୋଲିସକୁ ଏହି ମାନସିକତା ରଖୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦକ୍ଷେପ ନନେଲେ ସମ୍ପୃକ୍ତ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଗିଜ କରିଛନ୍ତି ।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।