ଭୁବନେଶ୍ୱର: ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପଶ୍ଚିମ- ଉତ୍ତରପଶ୍ଚିମ ଦିଗକୁ ଗତିକରି ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ରହିଛି। ଅକ୍ଟୋବର ମାସରେ ଲଘୁଚାପ ସୃଷ୍ଟି ଆଉ ଅବପାତ ପାଇଁ ବାତ୍ୟା ସମ୍ଭାବନାକୁ ନେଇ ଆଶଙ୍କା ବଢିଛି । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ମାସରେ ବାତ୍ୟା ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶାକୁ ଉପରେ ଏହାର ପ୍ରଭାବ ରହିବ କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଅବପାତ ପାଇଁ ଏକ ଅନୁକୂଳ ପରିବେଶ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଆଜି ଓ ଆସନ୍ତାକାଲି ଉପକୂଳ ଜିଲ୍ଲାଗୁଡିକ ସମେତ କୋରାପୁଟ, ରାୟଗଡା, ମାଲକାନଗିରି ଜିଲ୍ଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୨୧ଓ ୨୨ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ୨୩ ଅକ୍ଟୋବରରେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିଛି ଦିନ ବ୍ୟବଧାନ ପରେ ପୁଣି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।