କଣ୍ଟାବାଞ୍ଜି: ଅଙ୍ଗନବାଡ଼ି କର୍ମୀଙ୍କ ନାଁରେ ମାମଲା ରୁଜୁ। ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରି ଚାକିରି କରିଥିବା ଅଭିଯୋଗ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଆସିଛି ଏପରି ସଙ୍ଗୀନ ମାମଲା। ବରିଆଲି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ପଦ ପାଇଁ ଚୟନ ସମୟରେ ଜାଲିଆତି କରି ଶିକ୍ଷାଗତ ପ୍ରମାଣପତ୍ର ଦାଖଲ ସହିତ ଜଡିତ ଥିବା ଉମା ମାଝୀଙ୍କର ନାମରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ଅଙ୍ଗନବାଡି କର୍ମୀ ପଦ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଉମା ମାଝୀ ଆବେଦନ କରିଥିଲେ। ସେହି ସମୟରେ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରିଥିଲେ। ସର୍ବସାଧାରଣ ବିଜ୍ଞପ୍ତି ଅବଧିର ସମୟସୀମା ଓ କୌଣସି ଆପତ୍ତି ନଥିବା ଆଧାର କରି ତାଙ୍କୁ ଚୟନ କରାଯାଇଥିଲା। ଏହାପରେ ସେ ଅଙ୍ଗନବାଡି ୱାର୍କର୍ ଭାବେରେ ଯୋଗ ଦେଇଥିଲେ। ଅନ୍ୟତମ ଆଶାୟୀ ପଦ୍ମିନୀ ଧାରୁଆ ପରବର୍ତ୍ତୀ ସମୟରେ ଉମା ମାଝୀ ଦାଖଲ କରିଥିବା ପ୍ରମାଣ ପତ୍ର ସତ୍ୟତା ଉପରେ ଏକ ଲିଖିତ ଆବେଦନ କରିଥିଲେ। ପ୍ରମାଣ ପତ୍ରର ସତ୍ୟତା ଯାଞ୍ଚ ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟ ନିକଟକୁ ପଠାଯାଇଥିଲା। ଏହାପରେ ଜଣାପଡିଥିଲା ଯେ ସେ ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରି ଚାକିରି କରିଛନ୍ତି ତେଣୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।