ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାର ୯ଦିନ ପରେ ଗୁରୁବାର ସତ ପଦାକୁ ଆସିଛି । ଅଭିଯୋଗକାରୀ ପିତା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ବାସିନ୍ଦା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ ବରଂ ସେଦିନ ଝିଅ ହିଁ ଜନ୍ମ ହୋଇଥିଲା ବୋଲି ଷ୍ଟେଟ୍ ଫୋରେନ୍ସିକ୍ ସାଇନ୍ସ ଲାବରେଟୋରି(ଏସ୍ଏଫ୍ଏସ୍ଏଲ) ପକ୍ଷରୁ ପୋଲିସକୁ ମିଳିଥିବା ଡିଏନ୍ଏ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏ ସଂକ୍ରାନ୍ତରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେବାପରେ ଶିଶୁ ଅଦବଦଳ ଘଟଣାକୁ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।
ସୂଚନା ମୁତାବକ, ପ୍ରାଣକୃଷ୍ଣଙ୍କ ସ୍ତ୍ରୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ଗତ ସେପ୍ଚେମ୍ବର ୨୫ରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାତି ୧୦ରେ ତାଙ୍କର ପୁଅ ହୋଇଥିବା ନେଇ ହସ୍ପିଟାଲର ଲେବର ରୁମ୍ର ଜଣେ କର୍ମଚାରୀ କହିଥିଲେ । ହେଲେ ପରେ ତାଙ୍କର ଝିଅ ହୋଇଛି ବୋଲି ଡାକ୍ତର ଜଣାଇଥିଲେ । ଏହାକୁ ନେଇ ପ୍ରାଣକୃଷ୍ଣଙ୍କ ମନରେ ସନ୍ଦେହ ହୋଇଥିଲା। ଶିଶୁ ଅଦଳବଦଳ ହୋଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସରେ ଅଭିଯୋଗ କରିବା ସହ ଡିଏନ୍ଏ ଟେଷ୍ଟ ଦାବି କରିଥିଲେ। ଏପରିକି ଡିଏନ୍ଏ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଶିଶୁ କନ୍ୟାଙ୍କୁ ନେବେ ନାହିଁ ବୋଲି ଜିଦି ଧରି ବସିଥିଲେ । ଏନେଇ କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିଏନ୍ଏ ଟେଷ୍ଟ ପାଇଁ କୋର୍ଟଙ୍କଠାରୁ ଅନୁମତି ମିଳିବା ପରେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ଉଭୟ ଶିଶୁ ଓ ମା’ର ନମୁନା ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ ହସ୍ପିଟାଲ ପକ୍ଷରୁ ଗଠିତ ଏକ ଟିମ୍ ତଦନ୍ତ କରି ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ସ୍ପଷ୍ଟ କରିଥିଲା। ସେହି ସମୟରେ ଅନ୍ୟ ଜଣଙ୍କର ପୁଅ ହୋଇଥିଲା। କିନ୍ତୁ ଲେବର ରୁମ୍ର ଆଟେଣ୍ଡାଣ୍ଟ ପ୍ରାଣକୃଷ୍ଣଙ୍କୁ ଭୁଲ୍ରେ ତାଙ୍କର ପୁଅ ହୋଇଥିବା କହିଦେଇଥିଲେ। ତେଣୁ ଏଭଳି ଭୁଲ୍ ସୂଚନା ଦେଇଥିବା ସମ୍ପୃକ୍ତ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।
ଅଧିକ ପଢନ୍ତୁ :- ଏଥର ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ଦୁର୍ଗାପୂଜା ମେଲୋଡି