ଏମିତି ବି ଆସିପାରେ ମୃତ୍ୟୁ । ଯାହାର ନିଚ୍ଛକ ଚିତ୍ର ସାମ୍ନାକୁ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ । ନାଳ ନିକଟରେ ଦାନ୍ତ ଘଷୁଥିବା ବେଳେ ମାଡ଼ିଗଲା ବୋଲେରୋ । ସୂଚନା ଅନୁସାରେ , ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟସ୍ଥ କାରୋ ନାଳ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଆଜି ସକାଳେ ବାସୁଦେବ ନାମକ ଜଣେ ବ୍ୟକ୍ତି ନାଳ ନିକଟରେ ବସି ଦାନ୍ତ ଘଷୁଥିଲେ । ଠିକ ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବୋଲେରୋ ଧୋଇବାକୁ ନାଳକୁ ଆସିଥିଲେ । ବୋଲେରୋ ଧୋଇ ସାରିବା ପରେ ଯେତେବେଳେ ସେମାନେ ଗାଡ଼ିକୁ ବ୍ୟାକ୍ କରୁଥିଲେ ଠିକ ସେହି ସମୟରେ ଉକ୍ତ ବ୍ୟକ୍ତିଙ୍କ ଉପରେ ଗାଡ଼ିଟି ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ଗାଡ଼ିରେ ଥିବା ୨ ଜଣ ବ୍ୟକ୍ତି ଫେରାର ହୋଇ ଯାଇଥିଲେ। ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ ନାୟକ ବୋଲି ଜଣାପଡିଛି ଓ ତାଙ୍କ ବୟସ ୫୦ ବର୍ଷ । ଏହି ଘଟଣା ପରେ ଉକ୍ତ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଧାରଣାରେ ବସିବା ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ । ଗାଡ଼ି ମାଲିକ ପହଞ୍ଚି କ୍ଷତିପୂରଣ ଦେଇଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ଧାରଣାରୁ ଉଠିଥିଲେ । ଏବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ଉଦ୍ଧାର ହେଲା ଦନ୍ତା ହାତୀର ମୃତଦେହ