ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ । ରାଜ୍ୟରେ ସାଧାରଣ ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଲା । ଏଥିପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି । ଏହାରି ମଧ୍ୟରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧିମଣ୍ଡଳୀ ।
ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ବିଜେଡି ନେତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ଗୋଲକ ମହାପାତ୍ର । ସରକାରୀ ଅଫିସର ହୋଇ ଶାସକ ଦଳର କାର୍ଯ୍ୟ କରୁଥିବାରୁ ସରସ୍ୱତୀଙ୍କୁ ପଦବୀରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ମହିଳାମୋର୍ଚ୍ଚା ଉପସଭାପତି ରଞ୍ଜିତା ସେଠୀ, ଇତିଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।