ଛତିଶଗଡ଼ରେ ନକ୍ସଲ ନିରୋଧୀ ଅଭିଯାନ ଜାରି ଥିବାବେଳେ ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା । ଶୁକ୍ରବାର ଏନକାଉଣ୍ଟରରେ ପ୍ରାୟ ୯୦୦ ଯବାନ ବିଜାପୁର ଜିଲ୍ଲା ଗଙ୍ଗାଲୁର ପିଡିଆ ଜଙ୍ଗଲରେ ନକ୍ସଲଙ୍କୁ ଘେରି ଯାଇଥିଲେ । ଏଯାବତ ୫ ରୁ ୬ ଜଣ ନକ୍ସଲ ନିହତ ହୋଇଥିବା ନେଇ ଦନ୍ତେୱାଡା ଡିଆଇଜି କମଳ ଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ଏବେ ବି କମ୍ବିଂ ଅପରେସନ ଜାରି ଥିବା ବେଳେ ପୁରା ଅଞ୍ଚଳକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ଯବାନମାନେ ଏହି ଅପରେସନ ଶେଷ କରି ଫେରିବା ପରେ ପ୍ରକୃତ ମୃତ ନକ୍ସଲଙ୍କ ସଂଖ୍ୟା ସମ୍ପର୍କରେ ଜଣାପଡ଼ିବ ।
ଏନେଇ ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି, "ପିଡିଆ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା । ଏହି ସୂଚନା ମିଳିବା ପରେ ଦନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ନିୟୋଜିତ ଯବାନମାନେ ମିଳିତ ଅପେରସନ ଆରମ୍ଭ କରିଥିଲେ । ଜଙ୍ଗଲରେ ହାର୍ଡକୋର ନକ୍ସଲ ଲିଙ୍ଗା ଓ ପାପାରାୱର ଉପସ୍ଥିତି ନେଇ ମଧ୍ୟ ଖବର ମିଳିଥିଲା । ଏହାପରେ ଡିଆରଜି, ଏସଟିଏଫ ଟିମ ସହିତ ମିଶି ସିଆରପିଏଫ ଯବାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ସୁଫଳ ମିଳିଛି । ପ୍ରମୁଖ ନକ୍ସଲ ନେତାଙ୍କ ସହିତ ଅନ୍ୟ କିଛି ଘାତକ ନକ୍ସଲ ଥିବା ନେଇ ସୂଚନା ରହିଛି ।"
ଅଧିକ ପଢନ୍ତୁ : ହାତୀ ଦାନ୍ତ ଜବତ କଲା ବନ ବିଭାଗ