ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ଜାରି ରହିଛି । ଦିନବେଳା ଖରା ହେଉଛି ଏବଂ ଅପରାହ୍ନରେ ପ୍ରଭାବ ଦେଖାଉଛି କାଳବୈଶାଖୀ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା କମିଛି । ତେବେ ଆଗାମୀ ୪ ଦିନ କାଳବୈଶାଖୀ ପ୍ରଭାବ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ଗଛ ଉପୁଡିବା ସହ କିଛି ଘରର ଛପର ମଧ୍ୟ ଉଡିଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡିବାରୁ ସହର ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ହେଲାଣି ବିଜୁଳି ସେବା ପ୍ରଭାବିତ ହୋଇଥିଲା। କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୯ ତାରିଖରେ ବି କାଳବୈଶାଖୀ ପ୍ରଭାବ ରହିବ । ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ପବନ। ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ । ଆସନ୍ତା ୩ରୁ ୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଏଥିପାଇଁ ମତ୍ସଜୀବଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି।