ପ୍ରବଳ ପ୍ରତିବାଦ ଓ ନାରାରେ କମ୍ପିଲା ଲୋୟର ପିଏମଜି । ୧୦ ଦଫା ଦାବି ନେଇ ଗଣଧାରଣାକୁ ଓହ୍ଲାଇଲେ ସାରା ରାଜ୍ୟର ଅଙ୍ଗନୱାଡି କର୍ମୀ । ପାଖାପାଖି ୫୦୦୦ ଅଙ୍ଗନବାଡି କର୍ମୀଙ୍କ ପ୍ରତିବାଦରେ ଆଜି କମ୍ପିଲା ରାଜଧାନୀ ଭୁବନେଶ୍ୱର । ନିଜର ହକ୍ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବିଧାନସଭା ଘେରାଉ ଆହ୍ୱାନ ରାଜଧାନୀ ପାଣିପାଗରେ ଉଷ୍ମତା ଭରି ଦେଇଥିଲା । ଅଲ୍ ଓଡିଶା ଅଙ୍ଗନୱାଡି ଲେଡ଼ିଜ୍ ୱାର୍କରସ୍ ଆସୋସିଏସନ୍ ତରଫରୁ ଅଙ୍ଗନୱାଡି କର୍ମୀଙ୍କ ସମସ୍ୟା ଗୁଡିକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବି ପୁରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହେଇଛନ୍ତି ।
ସରକାର ନିଜେ ନିଜର ଲିଖିତ ପ୍ରତିଶୃତି ପାଳନ କରୁନାହାନ୍ତି ତେଣୁ ବାଧ୍ୟ ହୋଇ ସାରା ରାଜ୍ୟର ହଜାର ହଜାର ସଂଖ୍ୟାରେ କର୍ମୀ ସହାୟିକା ଓ ମିନି ଅଙ୍ଗନୱାଡି କର୍ମୀ ମାନେ ବିଧାନ ସଭା ଘେରାଉ ପାଇଁ ବାହାରିଥିଲେ । ସେମାନଙ୍କ ଦାବି ରହିଛି ଯେ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ଏଥି ସହିତ ମାସିକ ଦରମା ୧୮ହଜାର ଟଙ୍କା କରାଯାଉ । ଏଥିସହ ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା,ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ପାଇଁ ମଧ୍ୟ ଦାବି ରହିଛି । ଅଙ୍ଗନୱାଡି କର୍ମୀ ଏବଂ ଗାଁ କଲ୍ୟାଣ ସମିତିରୁ କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନୱାଡି କର୍ମୀଙ୍କୁ ଶିକ୍ଷୟିତ୍ରୀର ମାନ୍ୟତା ମଧ୍ୟ ଦିଆଯାଉ ଓ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଗ୍ରୀଷ୍ମ ଛୁଟି ମଧ୍ୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।
ସେପଟେ ଏହି ସମାନ ଦାବି ଏମାନେ ଦୀର୍ଘଦିନ ହେବ କରି ଆସୁଥିବା ବେଳେ ରାଜ୍ୟ ସରକାର ନୂଆ ତାରିଖ ଓ ନୂଆ ପ୍ରତିଶୃତି ଦେଇ ତାଙ୍କ ସହ ପ୍ରତାରଣା କରୁଥିବାର ଅଭିଯୋଗ କରିଛନ୍ତି ଅଙ୍ଗନୱାଡି କର୍ମୀ । ୧୯୭୫ ମସିହା ଅକ୍ଟୋବର ୨ ତାରିଖ ଠାରୁ ପ୍ରାରମ୍ଭ ହୋଇଥିବା ଏହି ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS ) ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସ୍ଥାୟୀ ହୋଇ ପାରିଲା ନାହିଁ । ମାତ୍ର ୬ ଟି ସେବା ପାଇଁ ପ୍ରାରମ୍ଭ ହେଇଥିବା ଏହି ଯୋଜନା ଟି ୬୦ ଟି କାମରେ ପହଞ୍ଚି ସାରିଲାଣି କର୍ମୀଙ୍କ କାମ ବଢୁଛି ହେଲେ ପାରିଶ୍ରମିକ ଯାହାକୁ ସେଇଆ ରହିଛି । ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ଏମାନଙ୍କୁ ମିଳୁନାହିଁ ।
ତେବେ ଆଜିର ରାଲି ଓ ବିକ୍ଷୋଭ ପରେ ସରକାର ଯଦି ଉଚିତ ପଦକ୍ଷେପ ନ ନିଅନ୍ତି ତାହେଲେ ଯାହା ଅସୁବିଧା ହେବ ସରକାର ସେଥିପାଇଁ ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି ଅଙ୍ଗନୱାଡି କର୍ମୀ ।
ଅଧିକ ପଢନ୍ତୁ :- ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ ଆକ୍ରାନ୍ତ ଚିହ୍ନଟ