ଜନ୍ମବେଦୀ ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ। ତେଣୁ ଭକ୍ତ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ତେବେ ମହାପ୍ରଭୁଙ୍କର ଆଜି ପ୍ରଥମ ଆଡ଼ପ ଅବଢ଼ା ବାହାରିଛି। ଆଡପ ଅଭଡ଼ା ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ସକାଳୁ ଗୁଣ୍ଡିଚା ମନ୍ଦିରରେ ଉଭୟ ପରିମାଣିକ ଓ ସାହାଣମେଳା ଦର୍ଶନ କରାଯାଉଛି। ଲୋକମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଠାକୁରଙ୍କ ଆଡ଼ପ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ଲମ୍ବା ଲାଇନ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଆସନ୍ତାକାଲି ହେରାପଞ୍ଚମୀ ଯୋଗୁ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିରରେ ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଚାଲୁରହିବ।
ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରାର ତୃତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ଏହାପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇ ଆଡ଼ପମଣ୍ଡପରେ ବିଜେ କରିଥିଲେ। ରାତି ୧୨.୨୦ ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ପହଣ୍ଡି ସମୟରେ ଶରଧାବାଲି ଓ ଗୁଣ୍ଡିଚା ମନ୍ଦିର ନିକଟରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।