ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ କରିଛନ୍ତି । ଏହି ଯୋଜନା ପାଇଁ ୨୭୩୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏବଂ ଏହା ଦ୍ୱାରା ଆଗାମୀ ୫ ବର୍ଷରେ ୩ ହଜାର ନୂଆ ଚେକ୍ ଡ୍ୟାମ୍ ନିର୍ମାଣ ହେବା ସହିତ ୨ ହଜାର ପୁରୁଣା ଚେକ୍ ଡ୍ୟାମ୍ର ପୁନଃରୁଦ୍ଧାର କରାଯିବ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ ।
ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୪୨୫ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହିତ ୨୦୬୩ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପିତ ଏହାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ୩.୦ ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୨୦୧ ଟି ଚେକ୍ଡ୍ୟାମ୍ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି । ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ ଆଜି ରାଜ୍ୟର ୨୨ ଟି ଜିଲ୍ଲାରେ ୧୦୧ ଟି ଚେକ୍ଡ୍ୟାମ୍ ଲୋକାର୍ପିତ କରାଗଲା। ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହା ଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ ।
ଆଡ଼ିବନ୍ଧ ଯୋଜନା ସହିତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ୧୨୫ କୋଟି ଟଙ୍କା ବିନିଯୋଗରେ ମୟୁରଭଞ୍ଜ ଓ ଗଜପତି ଜିଲ୍ଲାରେ ଦୁଇଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି । ଏହା ଦ୍ୱାରା ୪ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବା ସହିତ ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ । ଏହା ସହିତ ଆନନ୍ଦପୁର ବ୍ୟାରେଜର ଶାଳନ୍ଦୀ ବାମପାର୍ଶ୍ୱ କେନାଲର ପ୍ରାୟ ୧୪ କିଲୋମିଟର ଅଞ୍ଚଳରୁ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିକୁ ଭୂ-ତଳ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି ।
ସେହିପରି ଅନୁଗୋଳ ଜିଲ୍ଲାର ଅଙ୍ଗପଡ଼ା ଠାରେ ୩୩ କୋଟି ଟଙ୍କା ବିନିଯୋଗରେ ଏକ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୩୫୫ କୋଟି ଟଙ୍କା ବିନିଯୋଗରେ ସମ୍ୱଲପୁର ଜିଲ୍ଲାରେ ୬ ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୧,୫୧୫ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୨୦ ଟି ଜିଲ୍ଲାରେ ୨୮, ୩୦୨ ଟି ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଆଜି ଉଦ୍ଘାଟିତ ହୋଇଥିବା ଜଳସେଚିତ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୧୬,୨୫୨ ହେକ୍ଟର ଚାଷଜମିରେ ଜଳସେଚନର ସୁବିଧା ସହିତ ୬୪ ହଜାର ଚାଷୀ ଭାଇ ଉପକୃତ ହେବେ । ସେହିପରି ଭିତ୍ତିପ୍ରସ୍ତର ରଖାଯାଇଥିବା ପ୍ରକଳ୍ପ ଦ୍ୱାରା ୧, ୫୫,୩୬୦ ହେକ୍ଟର ଜମିରେ ଜଳସେଚନ ସୁବିଧାର ବିକାଶ ହେବ ଏବଂ ପ୍ରାୟ ୬୩ ହଜାର କୃଷକ ଉପକୃତ ହେବେ। ସମୁଦାୟ ପ୍ରାୟ ୧ ଲକ୍ଷ ୨୭ ହଜାର କୃଷକ ଉପକୃତ ହେବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସମ୍ପଦ ବିଭାଗ ଅନୁ ଗର୍ଗ ଏବଂ ନଗର ଉନ୍ନୟନ ବିଭାଗର ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।