କଟକ: ଜେଲରୁ କଏଦୀ ଫେରାର ଘଟଣାକୁ ନେଇ ଜେଲ୍ ଡିଜିଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ହୋଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଖୋର୍ଦ୍ଧା ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ କାରଗାରରୁ ୧୭ଜଣ କଏଦୀ ଖସି ପଳାଇ ଥିଲେ। ଅଦାଲତ ଦ୍ବାରା ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରୁ ଫେରାର ଥିବା ଏହି କଏଦୀ ମାନଙ୍କୁ ଧରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସତ୍ୟପାଠରେ ଉଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କର୍ତ୍ତବ୍ୟରେ ଅବହେଳା କରିଥିବା ଓ ଦାୟୀ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସତ୍ୟପାଠରେ ଦର୍ଶାଇବାକୁ କହିଛନ୍ତି ଖଣ୍ଡପୀଠ।
ଜଷ୍ଟିସ୍ ସଂଗମ କୁମାର ସାହୁ ଓ ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁନସୀ ଭୁଏଙ୍କ ଜେଲ କ୍ରିମିନାଲ ଅପିଲରେ ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି । ଡିସେମ୍ବର ୨୨ରେ ପରବର୍ତ୍ତି ଶୁଣାଣି ହେବ। ନଭେମ୍ବର ୨୬ରେ ଶୁଣାଣି ବେଳେ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମର କାରାମଂଗଳ ଅଧିକାରୀଙ୍କ ତରଫରୁ ଦାଖଲ ତଥ୍ୟରୁ ଜଣାପଡିଥିଲା ଯେ ଏହି ମୁକ୍ତାକାଶ କାରାଗାରରୁ ୧୭ଜଣ କଏଦୀ ଫେରାର ଥିବାବେଳେ ୧୫ଜଣ ପାରୋଲ ଅବଧି ଶେଷ ହେବା ପରେ ଆଉ ଫେରି ନାହାନ୍ତି ।
ଅଧିକ ପଢନ୍ତୁ: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର; ଅବଧି ସରିନାହିଁ, ହେଲେ ରାସ୍ତାକଡ଼ରେ ଫିଙ୍ଗିଦେଲେ ଶହଶହ ସରକାରୀ ଔଷଧ