ପୁରୀ : ପୁରୀ ଜିଲ୍ଲାର ୩ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ରେ ରୂପାନ୍ତରିତ କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ନିର୍ଣ୍ଣାୟକ ହୋଇଥିବା ବିଚ୍ ମଧ୍ୟରେ ରହିଛି ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମି, ପୁରୀର ବେଲେଶ୍ୱର ବେଳାଭୂମି ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମି । ଏନେଇ ଆଗ୍ରହୀ ସଂସ୍ଥାଙ୍କ ଠାରୁ ଡିପିଆର୍ (detail project report ) ଆହ୍ୱାନ କରିଛି ପୁରୀ ବନଖଣ୍ଡ କାର୍ଯ୍ୟାଳୟ । ଆସନ୍ତା ୧୫ ତାରିଖ ଆବେଦନର ଶେଷ ସମୟ ରହିଛି । ଏହା ପରଦିନ ସମୀକ୍ଷା କରାଯାଇ ଚୂଡ଼ାନ୍ତ ଡିଜାଇନ ବଛାଯିବ । ପ୍ରକଳ୍ପିତ ହୋଇଥିବା ସ୍ଥାନର ସର୍ଭେ, ଜମି ପରିମାଣ ସ୍ଥିର କରିବା, ପ୍ରକଳ୍ପର ଡିଜାଇନ, ଲକ୍ଷ୍ୟ, ବ୍ୟୟ ଅଟକଳ, ଆବଶ୍ୟକ ଅନୁମତି, ପରିବେଶ ପ୍ରଭାବ, ସୁରକ୍ଷା ଦୃଷ୍ଟିକୋଣ, ପର୍ଯ୍ୟଟକଙ୍କ ଆଗମନ ଆକଳନ, ରାଜସ୍ୱ ଆୟ ଆକଳନ ପ୍ରଭୃତିକୁ ଭିତ୍ତିକରି ଉତ୍କୃଷ୍ଟ ଡିପିଆର ପ୍ରସ୍ତୁତ ହେବ ।
ସୂଚନା ଅନୁଯାୟୀ ପୁରୀ ସହରର ମଙ୍ଗଳା ମୁହାଁଣ ଠାରୁ ବାଙ୍କିମୁହାଣ ଓ ଏଠାରୁ ପେଣ୍ଠକଟା ବେଳାଭୂମିକୁ ଉନ୍ନତୀକରଣ କରି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବାକୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ପୁରୀ ଜିଲ୍ଲା ପ୍ରଶାସନ, ପୌରସଂସ୍ଥା, ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବରୁ ଏହାର ଉତ୍ତମ ରୂପେ ରକ୍ଷଣାବେକ୍ଷଣ ହୋଇପାରୁନି । ବିଶାଳ ଏହି ବେଳାଭୂମିରେ ପର୍ଯ୍ୟଟକଙ୍କ ନିମନ୍ତେ ପର୍ଯ୍ୟାପ୍ତ ଶୌଚାଳୟ, ପାନୀୟଜଳ ଭଳି ମୌଳିକ ସୁବିଧା ନାହିଁ । ବେଳାଭୂମିର ବସ୍ତିବାସିନ୍ଦାମାନେ ବେଳାଭୂମିରେ ମଳତ୍ୟାଗ କରୁଛନ୍ତି । ପୁରୀ ବେଳାଭୂମିର ଗାନ୍ଧିଘାଟ ସଂଲଗ୍ନ ‘ବ୍ଲୁ- ଫ୍ଲାଗ ବିଚ୍’ ଠାରୁ ବାଙ୍କିମୁହାଣ ବିଚ୍ ପର୍ଯ୍ୟନ୍ତ ଅଞ୍ଚଳକୁ ଛାଡ଼ିଦେଲେ ବାକି ବେଳାଭୂମି ଅତି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଛି । ବେଳାଭୂମିରୁ ପ୍ରାକୃତିକ ଗଛଲତା ଓ ସୌନ୍ଦର୍ଯ୍ୟକୁ ନଷ୍ଟ କରି ବିଭିନ୍ନ ପ୍ରକାର କଂକ୍ରିଟ ନିର୍ମାଣ ବଢ଼ି ଚାଲିଛି ।
ସେପଟେ ପ୍ରକଳ୍ପିତ ଅସ୍ତରଙ୍ଗର ପୀରଜାହାନିଆ ବେଳାଭୂମୀ, ପୁରୀର ବେଲେଶ୍ୱର ବେଳାଭୂମୀ ଓ ଫୁଲପାଟଣା ପର୍ଯ୍ୟଟନ ବେଳାଭୂମିକୁ ଭଲ ରାସ୍ତା ମଧ୍ଯ ନାହିଁ । ଆଲୋକୀକରଣ, ପାନୀୟଜଳ, ଶୌଚାଳୟ ଭଳି ମୌଳିକ ସୁବିଧା ନାହିଁ । ଏହି ସ୍ଥାନରେ ୨୪ଘଣ୍ଟିଆ ପୁଲିସ ସୁରକ୍ଷା କିମ୍ବା ଫାଣ୍ଡି ବ୍ୟବସ୍ଥା ନାହିଁ । ପର୍ଯ୍ୟଟକମାନେ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଶିକାର ହେଲେ କଷ୍ଟ ପାଉଛନ୍ତି । ବେଳାଭୂମିକୁ ଉତ୍ତମ ଭାବେ ସଫେଇ କରାଯାଉନି । ପ୍ରଥମେ ଏସବୁ ସମସ୍ୟାକୁ ସମାଧାନ କରିବାକୁ ପ୍ରଶାସନ ଦୃଷ୍ଟି ଦେବା ଦରକାର ଏହା ପରେ କୋଟି କୋଟି ବ୍ୟୟରେ ବ୍ଲୁ-ଫ୍ଲାଗ୍ ବିଚ୍ ଯୋଜନା କଲେ ସୁଫଳ ମିଳିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।
ଏହି ୩ ବେଳାଭୂମିର କିଛି ଅଂଶକୁ ନେଇ ବ୍ଲୁ-ଫ୍ଲାଗ୍ ବିଚ୍ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ଏହାଦ୍ୱାରା ଏହି ଅଞ୍ଚଳର ପୂର୍ଣ୍ଣ ବିକାଶ ହେବ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ମାତ୍ର ଏହା ପୂର୍ବରୁ ପୀରଜାହାନିଆ ବେଳାଭୂମିରେ ଯାତ୍ରୀଙ୍କ ନିମନ୍ତେ ମୌଳିକ ସୁବିଧା କରାଯାଉ । ବେଳେଶ୍ୱର ବେଳାଭୂମିକୁ ପହଞ୍ଚିବା ନିମନ୍ତେ ନଷ୍ଟ ହୋଇପଡ଼ିଥିବା ରାସ୍ତା ମରାମତି କରାଯାଉ । ଏଠାକୁ ଭଲ ଭାବେ ସଫେଇ କରାଯାଉ । ବନ ବିଭାଗର ସୈତକ ନିବାସ ନେଇ ଫୁଲପାଟଣା ବେଳାଭୂମିରେ ପହଞ୍ଚିବା ନିମନ୍ତେ ଯାତ୍ରୀଙ୍କ ଗାଡ଼ିକୁ ଛଡ଼ାଯାଉ । ସେମାନଙ୍କୁ ଗେଟ୍ ପାସ୍ ଓ ବ୍ୟାଟେରିଗାଡ଼ି କରିବା ନିମନ୍ତେ ଆଦାୟ କରାଯାଉଥିବା ମୋଟା ଅଙ୍କର ଶୁଳ୍କ ଛାଡ଼ କରାଯାଉ । ସର୍ବୋପରି ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ । ଏଠାରେ ବହୁ ପରିମାଣର ହରିଣ ରହିଛନ୍ତି । ତେଣୁ ପର୍ଯ୍ୟଟକଙ୍କ ପରିଦର୍ଶନ ନିମନ୍ତେ ଡିଅର ପାର୍କ କରାଯାଉ । ବେଳାଭୂମିକୁ ସଂଲଗ୍ନ କରୁଥିବା ସମସ୍ତ ରାସ୍ତାକୁ ଆଲୋକୀକରଣ କରାଯାଉ । ପ୍ରକଳ୍ପ କରିବା ପୂର୍ବରୁ ସରକାର ଏସବୁକୁ ବିଶେଷ ଧ୍ୟାନ ନଦେଲେ କୋଟି କୋଟି ଟଙ୍କା ଆତ୍ମସାତ ହେବ ।